ଭୁବନେଶ୍ଵର: ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଥିବାରୁ ରାଜ୍ୟର କିଛି ଅଞ୍ଚଳରେ ପାଗ ପରିବର୍ତ୍ତନ ଦେଖାଦେବା ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେପରି, ଆସନ୍ତା ୧୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଅନ୍ୟପଟେ ରାଜ୍ୟରେ ତାପମାତ୍ରା ବଢ଼ିବା ସହ ତାତି ମଧ୍ୟ ବୃଦ୍ଧି ପାଉଛି। ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଏଠାରେ ସର୍ବାଧିକ ୩୯.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ହେଲେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ବିଶେଷ ବୃଦ୍ଧି ଦେଖାଯାଇନାହିଁ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।