ଯାଜପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ଶନିବାର କୁସୁମା ସ୍ଥିତ ପ୍ରଶାସନିକ ପଡିଆରେ ନିର୍ମିତ ହେଲିପ୍ୟାଡ୍ରେ ବାୟୁସେନାର ୨ଟି ହେଲିକପ୍ଟର ଯୋଗେ ମକ୍ ଡ୍ରିଲ୍ କରାଯାଇଥିଲା। ବାୟୁସେନା ଅଧିକାରୀମାନେ ପଡିଆର ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ। ରାଷ୍ଟ୍ରପତି ଯାଜପୁର ଗସ୍ତ ସମୟରେ ମା’ ବିରଜାଙ୍କ ମନ୍ଦିର ପରିସରରେ ଥିବା ନାଭିଗୟାରେ ପିଣ୍ଡଦାନ ସହ ମା’ ବିରଜାଙ୍କ ଦର୍ଶନ କରିବେ। ଏହାକୁ ନଜରରେ ରଖି ମନ୍ଦିର ସାଜସଜ୍ଜା ସହ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ପ୍ରସ୍ତୁତି ଚାଲିଛି ।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାଲି ଯାଜପୁର ପୌରାଞ୍ଚଳର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଇଓ ଛୁଟି ଘୋଷଣା କରିଛନ୍ତି।ସୂଚନା ଅନୁଯାୟୀ, ସୋମବାରଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩ ତାରିଖ ସକାଳେ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ପହଞ୍ଚି ମା’ ବିରଜାଙ୍କ ଦର୍ଶନ ପରେ ବାଲେଶ୍ୱରରେ ଆୟୋଜିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଳତି ଦର୍ଶନ କରିବେ।