ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ

ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ । ଏଣୁ ଦୟଣାମାଳି ସେବକ ଲାଗି ପଡିଛନ୍ତି ଠାକୁରଙ୍କ ବେଶ ପ୍ରସ୍ତୁତ କାର୍ଯ୍ୟରେ । ଶ୍ରୀମୁଖ ପଦ୍ମ, କରପଲ୍ଲଭ, ହଂସ, ଗଛ, ଡାଳିଲତା ଆଦି ବେଶ ସାମଗ୍ରୀ ତିଆରି ଚାଲିଛି । ରତ୍ନସିଂହାସନକୁ ପଦ୍ମ ପୁଷ୍କରିଣୀ ଜ୍ଞାନ କରାଯାଇ ସେଠାରେ ପଦ୍ମ ଗଛ ସ୍ଥାନିତ ହେବା ସହ ୪ ହଂସ ଖେଳିବେ । ରତ୍ନସିଂହାସନରେ ପଦ୍ମ ବେଶରେ ଉଭା ହେବେ ଶ୍ରୀବିଗ୍ରହ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶର ଭାଗରେ କଳା ଶ୍ରୀମୁଖ ଶୋଭା ପାଇବ । ଠାକୁରଙ୍କ ପଦ୍ମ ବେଶ ଦେଖି ଶ୍ରଦ୍ଧାଳୁମାନେ ଧନ୍ୟ ହେବେ ।

No photo description available.

ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ । ବେଶ ପ୍ରସ୍ତୁତକାରୀ ୩ଟି ଶ୍ରୀମୁଖ ପଦ୍ମ, ୮୦ ଗୋଟି ପଦ୍ମଫୁଲ, ୭ଟି ଗଛ ଓ ୪ଗୋଟି ହଂସ ତିଆରି କରୁଛନ୍ତି । ଆଗକୁ ମାଳଚୂଳ, କରପଲ୍ଲବ ଓ ପଦ୍ମକଢ଼ି ନିର୍ମାଣ କରାଯିବ । ସୋଲକୁ କାଗଜ ଭଳି କାଟି ଯୋଡ଼ି ବଡ଼ ଫର୍ଦ୍ଦ କରାଯାଇ ବିଭିନ୍ନ ଆକୃତି ପରେ ଏଥିରେ ଜରି ଜମ୍ବୁରା ଖଞ୍ଜା ଯାଉଛି । କଳାକାରମାନେ ନିଖୁଣ ଚିତ୍ର କରି ଠାକୁରଙ୍କ ସାଜକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ପ୍ରାକୃତିକ ଉପକରଣ ହିଙ୍ଗୁଳ, ହରତାଳ, ଦୀପକଳା ଓ କଇଁଥ ଅଠା ବ୍ୟବହାର କରାଯାଉଛି । ଏବେ ଠାକୁରଙ୍କ ସେବା ପୂଜା କରିବା ଭାବନାରେ କାରିଗରମାନେ ଶୂଦ୍ଧପୂତ ଭାବେ ଏହାକୁ ତିଆରି କରୁଛନ୍ତି ।

Besha – yoga.mywpsite.org