ରାଉରକେଲା ବିମାନ ଦୁର୍ଘଟଣା; ସନ୍ଧ୍ୟା ସୁଦ୍ଧା ପହଞ୍ଚିବ DGCA ଟିମ୍‌

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଡ଼ିଜିସିଏ ଦଳ । ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ ଏଏଆଇ ଦଳ । ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ୬ଜଣ ଆହତ ହୋଇଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଆୱାନ୍‌ ଏୟାର ଫ୍ଲାଇଟ୍‌ ଭିଟି-୧୦୨ । ୯ ସିଟ ବିଶିଷ୍ଟ ଏହି ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିଲା । ଘଟଣାର ତଦନ୍ତ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ଡ଼ିଜିସିଏ ଦଳ ପହଞ୍ଚିବ । ଆସନ୍ତାକାଲି ସକାଳ ସୁଦ୍ଧା ଏଏଆଇ ଦଳ ଘଟଣାସ୍ଥଳରେ ପହଞ୍ଚିବ । ସମନ୍ୱୟ ରକ୍ଷା କରିବା ପାଇଁ ଭୁବନେଶ୍ୱରରୁ ଦୁଇଜଣ ବେସାମରିକ ଚଳାଚଳ କର୍ମଚାରୀ ଯାଇଛନ୍ତି । ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ । ନିୟନ୍ତ୍ରଣ କକ୍ଷ ସହ ଜରୁରୀ ଫୋନ ନଂ ଜାରି କରାଯାଇଛି । ଯାତ୍ରୀ ଓ ଅନ୍ୟ ମାନଙ୍କ ସୁବିଧା ପାଇଁ ୯୮୬୧୦୯୬୩୭୧ ନମ୍ବର ଜାରି କରାଯାଇଛି ।

ସେପଟେ ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ସମସ୍ତ ଆହତଙ୍କୁ ଯଥାସମ୍ଭବ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।ସେହିପରି ମନ୍ତ୍ରୀ ବିଭୂତି ଜେନା ମଧ୍ୟ ବିମାନ ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି । ବଡ଼ ଦୁର୍ଘଟଣା ହୋଇଛି, କିନ୍ତୁ କାହାର କୌଣସି କ୍ଷତ ହୋଇନାହିଁ । ତେବେ ଏହି ଦୁର୍ଘଟଣାରେ ଯଦି କାହାର ବି ଭୁଲ୍‌ ଅଛି ଏବଂ କେମିତି ଦୁର୍ଘଟଣା ଘଟିଲା । ତାର ପୁରା ତଦନ୍ତ କରାଯିବ ।