ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର

ପାରାଦୀପ ବନ୍ଦରର ବ୍ୟାପକ ମାଷ୍ଟର ପ୍ଲାନ୍ ଅଧୀନରେ ଆଗାମୀ ଦଶବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାପାଇଁ ଯୋଜନା କରାଯାଉଥିବା ପ୍ରକଳ୍ପ ଗୁଡିକ ପାଇଁ ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନଶୁଣାଣୀ ଶିବିର ଜନଶୂନ୍ୟ ହୋଇପଡିଥିବା ବେଳେ ପାରାଦୀପ ଅଞ୍ଚଳର ପରିବେଶକୁ ନେଇ ଉପସ୍ଥିତ କିଛି ଲୋକ ସ୍ଥାନୀୟ ପ୍ରଦୂଷଣ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି l ହେଲେ ଏହାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ପ୍ରଦୂଷଣ ବୋର୍ଡର ଅଧିକାରୀ, ପାରାଦୀପରେ ପ୍ରଦୂଷଣକୁ ନେଇ ଚିନ୍ତା କରିବାର ନାହିଁ ସବୁକିଛି ସ୍ୱାଭାବିକ ରହିଛି, ପାରାଦୀପ ବନ୍ଦର ଆଜି ଦ୍ରୁତ ଗତିରେ ସୁନାମ ଅର୍ଜନ କରୁଥିବା ସମୟରେ ଆଗାମୀ ଦିନରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି l

ଯାହା ଫଳରେ ବନ୍ଦରର ପରିସୀମା ବୃଦ୍ଧି କରାଯିବା ସହିତ ଅନେକ ପ୍ରକଳ୍ପ ନିର୍ମାଣ ହେବା ନେଇ ଆଜି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣୀ ଶିବିର ଏକପ୍ରକାର ସଫଳ ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା l ସବୁଠୁ କୌତୁହଳ ପୂର୍ବ କଥା ହେଉଛି ପାରାଦୀପ ବନ୍ଦରର ଏହି ଜନଶୁଣାଣୀ ଶିବିରରେ କିଛି ବନ୍ଦରର ହାତଗଣତି କର୍ମଚାରୀ ଓ କିଛି ଠିକାଦାରଙ୍କ ଉପସ୍ଥିତରେ ଜନଶୁଣାଣୀ କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରାଯାଇ ନାହିଁ ବୋଲି ଆଇନଜୀବୀ ଗତିକୃଷ୍ଣ ଶତପଥି ଅଭିଯୋଗ କରିଛନ୍ତି l ଆଜିର ଏହି ଜନଶୁଣାଣୀ ଶିବିର ସଫଳ ହୋଇଛି, ଦୁଇଶହରୁ ଉର୍ଧ୍ୱ ଲୋକ ଉପସ୍ଥିତ ରହିଥିଲେ ,ପ୍ରଦୂଷଣ ବୋର୍ଡ ଅଧିକାରୀ କହିଥିବା ବେଳେ ଚିତ୍ର ସମ୍ପୂର୍ଣ ଅଲଗା ଦୃଶ୍ୟମାନ ହୋଇଥିଲା l