ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହେବାରେ ଲାଗିଛି । ଆସନ୍ତା ୨୪ ତାରିଖରେ ତାହା ଅବପାତରେ ପରିଣତ ହେବ ବୋଲି ଭୁବନଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି । ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେବ । କିନ୍ତୁ ଆଗାମୀ ୭ ଦିନ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଭାଇ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଧାନ ପାଚିଥିଲେ ତୁରନ୍ତ କାଟି ଦିଅନ୍ତୁ କିମ୍ବା ଅମଳ ହୋଇ ପଡ଼ିଥିଲେ ତୁରନ୍ତ ଧାନ ଖଳାକୁ ନେଇ ଆସନ୍ତୁ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ୱିଣ୍ଡିର ଆକଳନ ଅନୁସାରେ ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା । ଡିସେମ୍ବର ୧ରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ସେହିପରି ଆମେରିକୀୟ ପାଣିପାଗ ମଡେଲ୍ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ଏହା ବାତ୍ୟା ହୁଏ, ତେବେ ଏହାର ନାଁ ରହିବ ସେନ୍ୟାର ।

ଅକ୍ଟୋବରରେ ଆସିଥିବା ବାତ୍ୟା ‘ମୋନ୍ଥା’ ଯୋଗୁଁ ଓଡ଼ିଶାର ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଥିଲା । ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଥିଲା ବାତ୍ୟା । ଆର୍.ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଥିଲା ଯାତାୟାତ । ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହେଇଥିଲା ଯୋଗାଯୋଗ । ଆଉ ଏବେ ବାତ୍ୟା ‘ମୋନ୍ଥା’ର ଗୋଟିଏ ମାସ ମଧ୍ୟରେ ଆଉ ଏକ ବାତ୍ୟା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।