ଜୀବନ ବଞ୍ଚାଇଦେଲେ ମୋଦୀ, ଧନ୍ୟବାଦ ଜଣେଇଲେ ହାସିନାଙ୍କ ପୁଅ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଦଶନ୍ଧି ମଧ୍ୟରେ କୌଣସି ପୂର୍ବତନ ବାଂଲାଦେଶ ନେତାଙ୍କ ବିରୋଧରେ ଏହା ଅତ୍ୟନ୍ତ ନାଟକୀୟ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ। ଆସନ୍ତା ଫେବ୍ରୁଆରି‌ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛିମାସ ପୂର୍ବରୁ ହସିନାଙ୍କ ବିରୋଧ‌‌ରେ ଏହି ରାୟ ଆସିଛି। ଅନ୍ୟପକ୍ଷରେ ଏହି ରାୟକୁ ବିରୋଧ କରି ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶତାଧିକ ସ୍ଥାନରେ ହିଂସା ଜାରି ରହିଛି। ହସିନାଙ୍କ ଦଳ ଆୱାମୀ ଲିଗ୍‌ ରାୟକୁ ପ୍ରତ୍ୟାଖ୍ୟାନ କରିବା ସହ ଏହା ବିରୋଧରେ ଦେଶବ୍ୟାପୀ ଜନଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି।

ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ଜୟ ତାଙ୍କ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଜୟ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଦ୍ୱାରା ତାଙ୍କ ମାଆଙ୍କ ଫେରିବା ଦାବିକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ସେଠାକାର କୋର୍ଟ କାର୍ଯ୍ୟରେ କୌଣସି ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇ ନାହିଁ । ଏକ ସାକ୍ଷାତକାରରେ ସଜୀବ ୱାଜେଦ ଜୟ କହିଛନ୍ତି ଯେ, ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଥିଲା । ଯଦି ସେ ଅଗଷ୍ଟ ୨୦୨୪ରେ ବାଂଲାଦେଶ ଛାଡି ନଥାନ୍ତେ, ତେବେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥାନ୍ତେ । ମୋ ମାଆଙ୍କୁ ଆଶ୍ରୟ ଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।