ଆସନ୍ତାକାଲି ମହାପ୍ରଭୁଙ୍କ ପଇତାଲାଗି ନୀତି: ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ଦୈନଦିନ ଶ୍ରୀଜିଉମାନଙ୍କ ଠାରେ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କର ପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ ପାଟରା ସେବକ ମାନେ ତିନି ରଙ୍ଗର ବାସୁଙ୍ଗାପାଟ ରେ ପଇତା ବୋଳିଥାନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବାସୁଙ୍ଗାପାଟ ଯୋଗାଇ ଦିଆଯାଇଛି । ଏହି ପାଟ ପଇତା କୁ ପାଟରା ସେବକମାନେ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ବୋଳିଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପଇତା ଲାଗି କରାଯାଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ପଇତାଲାଗି ନୀତି ହେବ । ଏହାପରେ ଶ୍ରୀଜିଉଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।