ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ

ଯୁବତୀ ଏବଂ ମହିଳା ସୁରକ୍ଷା ନେଇ ଆଜି ବସିବ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି । ଦିନ ୩ଟାରେ ଯୁବତୀ ଓ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକରେ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଉନ୍ନୟନ କମିଶନରଙ୍କ ସହ ପୋଲିସ ଡିଜି ଉପସ୍ଥିତ ରହିବେ ।ସେହିପରି ଗୃହ, ଅର୍ଥ, ବାଣିଜ୍ୟ ଓ ପରିବହନ, ଶ୍ରମ ଓ ନିୟୋଜନ, ଅନୁସୂଚିତ ଜନଜାତି ଓ ଜାତି, କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷ ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଦକ୍ଷତା ବିକାଶ ବିଭାଗର ସଚିବ ରହିବେ । କ୍ରାଇମ ଆଇଜି, ଇଷ୍ଟକୋଷ୍ଟ ରେଲଓ୍ୱେ ଅଧିକାରୀ, ଆଇନ ପ୍ରାଧିକରଣ ସେବାର ସଦସ୍ୟ ବି ଏହି ବୈଠକରେ ସାମିଲ ହେବେ ।ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାପାଳଙ୍କ ସହ ୟୁନିସେଫ ଏବଂ ୟୁନଏଫବିଏର ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ୱିମେନ୍ସ ଷ୍ଟଡି ନିର୍ଦ୍ଦେଶକା ମଧ୍ୟ ସାମିଲ ହେବେ ବୈଠକରେ । ଗତ କିଛି ଦିନହେବ ରାଜ୍ୟରେ ଥମୁନି ଲଜ୍ଜା । ବଢୁଛି ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର । ଗତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଷ୍କର୍ମ ହୋଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ବର , ଯାଜପୁର, ଜଗତସିଂପୁର ଓ ଗଞ୍ଜାମରୁ ଲାଗତର ଆସୁଛି ମହିଳା ଓ ଯୁବତୀଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ।