ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଏବେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୯.୭୯ ଫୁଟ୍ ରହିଥିବା ବେଳେ ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ ଜଳ ।

ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଛତିଶଗଡ କଲମା ଟ୍ୟାମ ସମସ୍ତ ଗେଟ୍କୁ ଖୋଲିଦେଇଛି । ଫଳରେ ହୀରାକୁଦ ଜଳସ୍ତର ବଢିଛି । ଗତକାଲି ବର୍ଷର ପ୍ରଥମ ବନ୍ୟା ଜଣ ଛାଡିଛି ହୀରାକୁଦ । ହୀରାକୁଦ ଗତକାଲି ୨୦ଟି ଗେଟ୍ ଖୋଲିଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ, ସକାଳ ୧୦ଟା ୧୫ ମିନିଟ୍ରେ ଖୋଲାଯାଇଥିଲା ଜଳଭଣ୍ଡାରର ବାମପାର୍ଶ୍ୱର ୭ ନମ୍ବର ଗେଟ୍ । ୭ନମ୍ବର ଗେଟ୍କୁ ଶୁଭ ମାନୁଥିବାରୁ କର୍ତ୍ତୃପକ୍ଷ ଏହି ଟେଗ୍ ଦେଇ ପ୍ରଥମ ବନ୍ୟା ଜଳ ଛାଡ଼ିଥିଲେ । ପର୍ଯ୍ୟାୟ କ୍ରମେ ବାମପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ୱର ୪ଟି ଗେଟ୍ ଖୋଲି ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ତାପରେ ପର୍ଯ୍ୟାୟକ୍ରମେ ଆଉ ୮ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ମୋଟ ୨୦ ଟି ଗେଟ୍ ଦେଇ ବନ୍ୟାଜଣ ନିଷ୍କାସିତ ହେଉଛି ।

ଅନ୍ୟପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ସହ ଖୁବ ଜୋର ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଭୀଷଣରୁ ଅତି ଭୀଷଣ ବର୍ଷା ପାଇଁ ୪ ଜିଲ୍ଲା ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼ ଓ ସମ୍ବଲପୁରକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।