ଠକେଇ କରି ଉପୁରୀ ଟଙ୍କାରେ ପକେଟ ଗରମ କରିବାକୁ ଚାହୁଁଥିଲେ ହାବିଲଦାର । ମାସକୁ ମାସ ଦରମା ନେଉଥିଲେ ଆଉ ତାସାଙ୍ଗକୁ ଏପରି ତରିକା ଆପଣାଇ ହଜାର ହଜାର ଟଙ୍କା କମାଉଥିଲେ । ନିଜ ମନ ମୁତାବକ ଥାନାକୁ କର୍ମଚାରୀଙ୍କ ବଦଳି କରାଇଦବାକୁ କହି ଆଦାୟ କରୁଥିଲେ ଟଙ୍କା । ଏଥିପାଇଁ ନିଜକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତିନିଧି କହି ତଳତଳିଆ କର୍ମଚାରୀଙ୍କୁ ଠକେଇ କରୁଥିଲେ । ବାଲେଶ୍ଵର ଏସପିଙ୍କ ପୂର୍ବତନ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ (ପିଏସଓ) ହାବିଲଦାର ଅସୀମଙ୍କୁ ପୁଲିସ ମହା ନିର୍ଦେଶକ (ଡିଜିପି) ନିଲମ୍ବନ କରିଛନ୍ତି । ଏହାକୁ ନେଇ ଜିଲା ପୁଲିସରେ ଏବେ ଚର୍ଚ୍ଚା ଜୋରଦାର ହୋଇଛି।
ସୂଚନା ଅନୁସାରେ, ନିକଟରେ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏଏସ ଆଇ ସ୍ତରରେ ଅଦଳ ବଦଳ ହୋଇଥିଲା। ଏହିକ୍ରମରେ ରେମୁଣା ଥାନାର ଜଣେ ଏଏସଆଇଙ୍କର ରୂପସା ଥାନା କୁ ବଦଳି ହୋଇଥିଲା । ଏନେଇ ଏଏସଆଇ ଜଣକ ଏସପିଙ୍କ ପିଏସଓ ହାବିଲଦାର ଅସୀମଙ୍କୁ ୨୦ ହଜାର ଟଙ୍କା ଅନଲାଇନରେ ଦେଇଥିଲେ। ବାକି ୩୦ ହଜାର ଟଙ୍କା ପରବର୍ତ୍ତୀ ସମୟରେ ଦେବ ବୋଲି ସେ କହିଥିଲେ। ମାତ୍ର ୩୦ ହଜାର ବଦଳରେ ଆଉ ୫୦ ହଜାର ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଅସୀମ ସମ୍ପୃକ୍ତ ଏଏସିଆଇ ଙ୍କୁ କହିଥିଲେ। ଯଦି ଏହି ଟଙ୍କା ଦେବାରେ ବିଳମ୍ବ କରିବ, ତାହାଲେ ତାଙ୍କୁ ଏସପି ପୁଣି ବାଲିଆପାଳ ଭଳି ଉପାନ୍ତ ଥାନା ବା ଫାଣ୍ଡିକୁ ବଦଳି କରିଦେବେ ବୋଲି ହାବିଲଦାର ଅସୀମ ଧମକ ବି ଦେଇଥିଲେ। ଏହାକୁ ନେଇ ସେହି ଏଏସଆଇ ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ । କେବଳ ଏଏସଆଇ ବଦଳି ଘଟଣା ନୁହେଁ ବରଂ ଜିଲାର ବିଭିନ୍ନ ଥାନାର ଅନ୍ୟାନ୍ୟ ଅଧିକାରୀଙ୍କ ବଦଳରେ ବି ନିଜକୁ ଏସପିଙ୍କ ପ୍ରତିନିଧି କହି ହାବିଲଦାର ଅସୀମ ଟଙ୍କା ଆଦାୟ କରେ ବୋଲି ଡିଆଇଜିଙ୍କ ନିକଟରେ ପୂର୍ବରୁ ଅଭିଯୋଗ ପହଞ୍ଚିଥିଲା । ତେବେ ଏଏସଆଇଙ୍କଠାରୁ ଅଭିଯୋଗ ପାଇବା ପରେ ଡିଆଇଜି ଡ. ସତ୍ୟଜିତ ନାଏକ ତାଙ୍କୁ ପ୍ରଥମେ ତାଙ୍କ ପୂର୍ବାଞ୍ଚଳ ଜୋନ ଅଫିସକୁ ବଦଳି କରି ତଦନ୍ତ ଆରମ୍ଭ କରିଥିଲେ ।
ସବୁଠାରୁ ବଡ଼ କଥା ହେଲା, ରୂପସାରୁ ସେହି ଏଏସଆଇଙ୍କର ଡିଆଇଜି ଅଫିସକୁ ବଦଳି ହେବା ପରେ ହାବିଲଦାର ତାଙ୍କ ନିକଟରେ ପହଞ୍ଚି ନେଇଥିକବା ଟଙ୍କା ଫେରାଇବା ବଦଳରେ ତାଙ୍କ ପରିବାରର ସ୍ୱାସ୍ଥ୍ୟ ବୀମା କରାଇଦେବ ବୋଲି କହିଥିଲେ। ସେହିଭଳି ଡିଆଇଜିଙ୍କ ପକ୍ଷରୁ ତଦନ୍ତ ଜାରି ରହିଥି୍ବାବେଳେ ସମ୍ପୃକ୍ତ ଏଏସଆଇଙ୍କୁ ଡିପିଓ ଅଫିସକୁ ନେଇଯିବାକୁ ଏସପି ଜିଦ୍ ଧରିଥିବା ଆଲୋଚନା ହେଉଛି। ମାତ୍ର ଡିଜିପିଙ୍କ ନିର୍ଦ୍ଦେଶ ଅନୁସାରେ ଏଏସଆଇଙ୍କର ଆଉ ବଦଳି ହୋଇ ନଥିଲା। ଇତି ମଧ୍ୟରେ ତଦନ୍ତ ସାରି ଡିଆଇଜି ଡ. ନାଏକ ରିପୋର୍ଟ ଡିଜିଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ପୁଲିସ ମହାନିର୍ଦ୍ଦେଶକ ହାବିଲଦାର ଅସୀମଙ୍କୁ ଆଜି ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ଘଟଣା ପରେ ଆଇଆଇସି ଓ ଏସଆଇଙ୍କ ବଦଳି ଆଦେଶର ପୃଷ୍ଠଭୂମିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇନସ୍ପେକ୍ଟରଙ୍କ ଠାରୁ ଏଏସଆଇ ପର୍ୟ୍ୟନ୍ତ, ବିନା ଅର୍ଥରେ ବଦଳି ହେଉନଥିଲା ବୋଲି ଏବେ ପୁଲିସ ମହଲରୁ କଥା ବାହାରିଲାଣି। ଖାସ ସେଇଥ୍ ପାଇଁ ବିଭିନ୍ନ ସମୟରେ ଥାନା ପୁଲିସ ଅଧିକାରୀ ଓ ଓ ଏସଆଇଙ୍କର ହେଉଥିବା ବଦଳି ଆଦେଶ ପୁଣି ବାତିଲ ହୋଇଯାଉଥିଲା ବୋଲି ନିକଟ ଅତୀତରେ ହୋଇଥିବା ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ବି ମୋଟା ଅଙ୍କର ଅର୍ଥ ଦେଣନେଣ ହୋଇଥିବା କେତେକ ସନ୍ଦେହକରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।