କେଦାରନାଥ ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବିମାନ ହଠାତ ରାଜପଥରେ ଓହ୍ଲାଇ ପଡ଼ିଲା

ଉତ୍ତରାଖଣ୍ଡ-: ବଡ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର । କେଦାରନାଥ ପାଖରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜପଥରେ ଓହ୍ଲାଇଲା । ହେଲିକପ୍ଟରରେ ପାଇଲଟଙ୍କ ସହ ଥିବା ୫ ଯାତ୍ରୀ  ସୁରକ୍ଷିତ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟରକୁ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ଫାଟା ବାରାସୁ ନିକଟରେ ରାଜପଥରେ ଏହି ଜରୁରୀକାଳୀନ ଅବତରଣ ସମୟରେ ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ରୁଦ୍ରପ୍ରୟାଗର ବଡ଼ାସୁ ଅଞ୍ଚଳରେ କେଦାରନାଥ ଯାଉଥିବା ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ହେଲିକପ୍ଟରଟି ହଠାତ୍ ରାସ୍ତାରେ ଅବତରଣ କରିବାକୁ ପଡିଲା । କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ, ପାଇଲଟ ବିଚକ୍ଷଣତା ଦେଖାଇ ହେଲିକପ୍ଟରକୁ ରାଜପଥରେ ହିଁ ଅବତରଣ କରିଥିଲେ ଫଳରେ ସ୍ଥାନୀୟଲୋକଙ୍କ ମନରେ ଭୟ ଖେଳି ଯାଇଥିଲା । ଦୁର୍ଘଟଣା ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା । ସୂଚନା ମିଳିଛି ଯେ ସହ-ପାଇଲଟଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି ।