କ୍ଷମା ମାଗିବାକୁ ନାରାଜ୍ କମଲ ହାସନ…

କନ୍ନଡ ଭାଷା ଉପରେ କମଲ ହାସନଙ୍କ ବୟାନକୁ ନେଇ ବଢ଼ିବାରେ ଲାଗିଛି ବିବାଦ। କନ୍ନଡ ଭାଷାର ଉତ୍ପତ୍ତି ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଦକ୍ଷିଣ ଅଭିନେତାଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସେ ତାଙ୍କ ଭୁଲ ପାଇଁ ପୋଲିସ ସୁରକ୍ଷା କାହିଁକି ମାଗୁଛନ୍ତି? ଲୋକଙ୍କ ଭାବନାକୁ ଆଘାତ ଦେବା ପାଇଁ ମତାମତ ସ୍ୱାଧୀନତା ବ୍ୟବହାର କରାଯିବା ଉଚିତ୍ ନୁହେଁ।

ଜଷ୍ଟିସ୍ ଏମ୍. ନାଗପ୍ରସନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କମଲ ହାସନଙ୍କ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ସେ କର୍ଣ୍ଣାଟକର ଥିଏଟରରେ ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍’ର ମୁକ୍ତିଲାଭ ପାଇଁ ସୁରକ୍ଷା ଦାବି କରିଥିଲେ। କମଲ ହାସନ କହିଥିଲେ ଯେ ‘କନ୍ନଡ ଭାଷା ତାମିଲରୁ ଉତ୍ପନ୍ନ ହୋଇଛି। ଯାହା ପରେ କର୍ଣ୍ଣାଟକରେ ତାଙ୍କ ବିରୋଧରେ ବିରୋଧ ଆରମ୍ଭ ହୋଇଥିଲା।


କେବଳ ଏତିକି ନୁହେଁ କମଲ ହାସନଙ୍କ ଉଦେ୍ଦଶ୍ୟରେ କୋର୍ଟ କହିଛନ୍ତି ତୁମେ କର୍ଣ୍ଣାଟକରେ ଫିଲ୍ମଟି ରିଲିଜ୍ କରି ଟଙ୍କା ରୋଜଗାର କରିବାକୁ ଚାହୁଁଛ, କିନ୍ତୁ କ୍ଷମା ମାଗୁନାହୁଁ। ମୁଁ ମଧ୍ୟ ତୁମର ଫିଲ୍ମ ଦେଖିବାକୁ ଚାହୁଁଛି କିନ୍ତୁ ଏହି ବିବାଦ ଯୋଗୁଁ ମୁଁ ତାହା କରିପାରୁନାହିଁ। ଯଦି ତୁମେ କ୍ଷମା ମାଗିବାକୁ ଚାହୁଁନାହଁ, ତେବେ ତୁମେ କାହିଁକି କର୍ଣ୍ଣାଟକରେ ଫିଲ୍ମଟି ରିଲିଜ୍ କରିବାକୁ ଚାହୁଁଛ? ଏକ କ୍ଷମା ମାଗିଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ତୁମେ ବୟାନ ଦେବା ସ୍ୱୀକାର କରିଛ, ତଥାପି ତୁମେ କ୍ଷମା ମାଗିବାକୁ ମନା କରୁଛ। ସେପଟେ କମଲ ହାସନଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ଅଭିନେତା ଭାଷା ଅପମାନ କରିନାହାଁନ୍ତି।


ଠଗ୍ ଲାଇଫ୍’ର ପ୍ରମୋସନ୍ ସମୟରେ ଭାଷା ଉପରେ ଦେଇଥିବା ମନ୍ତବ୍ୟକୁ ନେଇ କମଲ ହାସନ ବିବାଦରେ ଫସିଥିବା ଜଣାଶୁଣା। ୨୮ ମଇ ୨୦୨୫ରେ ଚେନ୍ନାଇରେ ଏକ କାର୍ୟ୍ୟକ୍ରମରେ ସେ କହିଥିଲେ ଯେ ‘କନ୍ନଡ ତାମିଲରୁ ଜନ୍ମ ହୋଇଛି।’ ତାଙ୍କର ବିବାଦୀୟ ମନ୍ତବ୍ୟକୁ କର୍ଣ୍ଣାଟକର ଅନେକ ଅଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ବିରୋଧ କରାଯାଇଥିଲା। ବିଜେପି ଏବଂ କନ୍ନଡ ସମର୍ଥକ ଗୋଷ୍ଠୀଗୁଡ଼ିକ ତାଙ୍କ ବୟାନକୁ ନିନ୍ଦା କରିଥିଲେ ଏବଂ ନିଃସର୍ତ୍ତ କ୍ଷମା ମାଗିଥିଲେ।