ମାଲକାନଗିରି-: ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇ ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ମାଲକାନଗିରି ପୋଲିସ ସୂଚନା ଦେଇଛି ।
ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ । ସୂଚନା ଅନୁସାରେ ଅଭିଯୁକ୍ତ ଛତିଶଗଡ଼ ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର ଉମେଶ ନାଗଙ୍କ ସହ ମର୍ତ୍ତୃଣ୍ଡା ଗାଁର ମଙ୍ଗଳ ଦେଇଙ୍କ ମଧ୍ୟରେ ବର୍ଷେ ହେଲା ପ୍ରେମ ସଂପର୍କ ଥିଲା । ୨୫ ବର୍ଷୀୟା ମଙ୍ଗଳା ଦେଇ ୬ ମାସର ଗର୍ଭବତୀ ଥିବା ବେଳେ ଗତ ମାର୍ଚ୍ଚ ୨୦ ତାରିଖରେ ଗର୍ଭପାତ ପାଇଁ ଉଭୟ ମାଲକାନଗିରି ଆସିଥିଲେ । କିନ୍ତୁ ଯୁବତୀ ଗର୍ଭନଷ୍ଟ ପାଇଁ ରାଜି ନହୋଇ ବାହା ହେବାକୁ ଜିଦ କରିଥିଲେ ।
ତେବେ ଗର୍ଭପାତ କରାଇବାରେ ବିଫଳ ହୋଇଥିବାରୁ ଫେରିବା ବାଟରେ ମାଲକାନଗିରି ସୀମାନ୍ତ ଚାଲାଣ ଗୁଡା ଗାଁ ନିକଟ ଗର୍ଭବତୀ ପ୍ରେମିକାଙ୍କ ମୁଣ୍ଡ ପଥରରେ ବାଡେଇ ଅତି ନିର୍ମମ ଭାବେ ହତ୍ୟା କରିବା ସହ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ହତ୍ୟାର ପ୍ରାୟ ୨୨ ଦିନ ପରେ ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଠାବ ହୋଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମାଲକାନଗିରି ଥାନା ପୋଲିସ । ଛତିଶଗଡ ସୁକୁମା ପୋଲିସର ମିସିଙ୍ଗ ରିପୋର୍ଟ ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଆଧାରରେ ମାଲକାନଗିରି ପୋଲିସ ପ୍ରେମିକ ଉମେଶ ନାଗଙ୍କୁ ସୁକୁମା ପୋଣ୍ଡୁମ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।