ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ଵର: ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ନିର୍ବାଚନୀ ପ୍ରଚାର ଲାଗି ୧୯ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ୧୯ ତାରିଖ ଅର୍ଥାତ୍ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବେ । ୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ ପ୍ରଧାନମନ୍ତ୍ରୀ । ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ରୋଡ୍ ଶୋ ପରେ ସକାଳ ସାଢେ ୯ଟାରେ ଅନୁଗୁଳରେ ଆୟୋଜିତ ଏକ ସଭାରେ ଯୋଗଦେବେ ପିଏମ୍ ମୋଦି। ଅନୁଗୁଳ ପରେ କଟକ କିଲା ପଡିଆରେ ସାଢେ ୧୧ରେ ମୋଦି ସଭା କାର୍ଯ୍ୟକ୍ରମ ରହିଛି। ତେବେ ରବିବାର ସନ୍ଧ୍ୟାରେ ମୋଦି ଭୁବନେଶ୍ଵରରେ ପହଞ୍ଚିବା ପରେ ସେହିଦିନ ରାତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଚଳିତ ନିର୍ବାଚନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ନିର୍ବାଚନରେ ପ୍ରଚାର ଲାଗି ମୋଦି ଏହାକୁ ମିଶାଇ ତୃତୀୟଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି।
ସେପଟେ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ। ଆସନ୍ତାକାଲି କୁଚିଣ୍ଡାରେ ସଭା କରିବେ ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ୨୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି। ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।