ଶ୍ମଶାନକୁ ନାହିଁ ରାସ୍ତା, କାନ୍ଧରେ ଶବ ନେଇ ପାରି ହେଲେ ନଦୀ

କୋରାପୁଟ : ଗାଁକୁ ନାହିଁ ସ୍ଥାୟୀ ପକ୍କା ରାସ୍ତା। ଯାହା ଫଳରେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ଗ୍ରାମବାସୀ। କୋରାପୁଟର ଲକ୍ଷ୍ମୀପୁର ବ୍ଲକ ଭିତର ଗଡ ପଂଚାୟତର ଚାରଡା ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଚାରଡା ଗ୍ରାମର ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ଶବ ସତ୍କାର ପାଇଁ ଶ୍ମଶାନ କୁ ନେବା ରାସ୍ତାରେ ଏକ ନଦୀ ପ୍ରଭାବିତ ହେଉଛି। ଉପରମୁଣ୍ଡରେ ଲଗାତାର ବର୍ଷା ଫଳରେ ନଦୀରେ ହଠାତ ପ୍ରବଳ ପାଣି ଆସିଯାଇଥିଲା। ଏହି ସମୟରେ ଗ୍ରାମବାସୀ ହାତକୁ ହାତ ମିଶାଇ ନଦୀ ମଧ୍ୟରେ ଠିଆ ହୋଇ ଶବକୁ ନଦୀ ପାର କରିଥିଲେ। ନଦୀ ଉପରେ ସ୍ଥାୟୀ ପୋଲ ଟିଏ ର୍ନିମାଣ କରାଯାଇନଥିବା ଯୋଗୁଁ ବର୍ଷା ଦିନେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ।

ଅନ୍ୟ ଦିନ କଥା ଟିକେ ଅଲଗା କିନ୍ତୁ ବର୍ଷାଦିନରେ ଗ୍ରାମବାସୀଙ୍କୁ ବହୁତ ହଇରାଣ ହରକତ ହେବାକୁ ପଡେ। ସୂଚନା ମୁତାବକ,ଏହି ଗ୍ରାମରେ ପ୍ରାୟ ୪୦୦ ପରିବାର ବସବାସ କରନ୍ତି ସ୍ଥାୟୀ ରାସ୍ତାର ବ୍ୟବସ୍ଥା ନଥିବା ଯୋଗୁଁ ବର୍ଷାଦିନେ ଗମନାଗମନର ବହୁ ଅସୁବିଧା ଦେଖାଯାଏ। ପାହାଡିଆ ,ଅସମତଳ ଅଂଚଳ ହୋଇଥିବାରୁ ବର୍ଷାଦିନେ ପାହାଡ଼ ଉପରୁ ବର୍ଷା ଜଳ ଆସି ନଦୀ ଓ ନାଳ ଗୁଡିକରେ ସ୍ୱଳ୍ପ ସମୟ ମଧ୍ୟରେ ଜଳ ସ୍ତର ବୃଦ୍ଧି ପାଇଥାଏ। ଜଳ ପ୍ରଖର ବେଗରେ ନିମ୍ନ ଭାଗକୁ ପ୍ରବାହିତ ହୋଇଥାଏ। ଏହି ସମୟରେ ଗ୍ରାମର କାହାରି ମୃତ୍ୟ ଘଟିଲେ ପୋଲ ନଥିବା ଗ୍ରାମ ଗୁଡିକରେ ଏଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ। ରାସ୍ତା ସଂଯୋଗୀକରଣର ସୁବ୍ୟବସ୍ଥା କରାଯାଇପାରିଲେ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇପାଇନ୍ତା।