ଆଶା ମାନଙ୍କର ପରିଶ୍ରମ ଓ ନିଷ୍ଠା ଫଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଘଟିବା ସହ ମାତୃ ଓ ଶିଶୁ ମୃତ୍ୟୁ ହାର କମିବାରେ ଲାଗିଛି

ପୁରୀ/ ଜୟନ୍ତ କୁମାର ସେଠି : ପୁରୀ ଜିଲ୍ଲା ସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ଆଶା ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସମୟ ଥିଲା ଡାକ୍ତରଖାନା ମାନଙ୍କରେ ଡେଲିଭରିର ମାତ୍ରା କମ ଥିଲା ସେଥିପାଇଁ ଉଭୟ ମା ଓ ଶିଶୁ ମୃତ୍ୟୁ ହାର ବଢୁଥିଲା କିନ୍ତୁ ଆଶା ମାନଙ୍କର ପରିଶ୍ରମ ଓ ନିଷ୍ଠା ଫଳରେ ସ୍ୱାସ୍ଥ୍ୟ ସେବାରେ ଦୃତ ଉନ୍ନତି ଘଟିବା ସହ ମାତୃ ଓ ଶିଶୁ ମୃତ୍ୟୁ ହାର ଦିନକୁ ଦିନ କମିବାରେ ଲାଗିଛି ।। ସେହିପରି ଗାଁ କଲ୍ୟାଣ ସମିତି ମଧ ସ୍ୱାସ୍ଥ୍ୟ ସେବାରେ ଯଥେଷ୍ଟ ଅବଦାନ ରଖିଛନ୍ତି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ସ୍ୱାସ୍ଥ୍ୟ ସେବା ଜିଲ୍ଲା ପ୍ରଶାସନର ଏକ ମୁଖ୍ୟ ଅଙ୍ଗ। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ମାନଙ୍କ ସାମୁହିକ ଉଦ୍ୟମ ଫଳରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ସୁଧାର ଆସିଛି ବୋଲି ସେ କହିଛନ୍ତି । ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଆଶା କର୍ମୀ ମାନେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଆଶା ଭରସା ପାଲଟିଛନ୍ତି ବୋଲି କହିବା ସହ ମା ଗର୍ଭ ରେ ଥିବା ଭୃଣ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ସେମାନଙ୍କୁ ସେବା ଯୋଗାଇବାର କାର୍ୟ୍ୟକୁ ସେ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର ଏହି ସଭାରେ ଅଧ୍ୟକ୍ଷତା କରିବା ସହ ଆଶା,ଗାଁ କଲ୍ୟାଣ ସମିତି ଓ ଆରୋଗ୍ୟ ସମିତି ମାଧ୍ୟମରେ ମାତୃ ଓ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମିବା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବୃଦ୍ଧି ପାଇଛି ବୋଲି କହିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ଲଲାଟେନ୍ଦୁ ମିଶ୍ର, ଡା ବିରଜା ଶଙ୍କର ରଥ, ଡିପିଏମ ଟି ନାରାୟଣ ରାଓ, ସହକାରୀ ମ୍ୟାନେଜର ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମ୍ମିଳନୀର ଆଭିମୁଖ୍ୟ , ସ୍ୱାସ୍ଥ୍ୟ ସେବାରେ ଆଶା, ରୋଗୀ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି । ପରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୭ଜଣ ଆଶାକର୍ମୀ, ୧୧ଗୋଟି ଗାଁ କଲ୍ୟାଣ ସମିତି ଓ ୨୨ଗୋଟି ମହିଳା ଆରୋଗ୍ୟ ସମିତିଙ୍କୁ ଅତିଥି ମାନେ ପୁରସ୍କୃତ କରିଛନ୍ତି । ଜିଲ୍ଲା ଆକାଉଣ୍ଟସ୍ ମ୍ୟାନେଜର ବିଜୟ କୁମାର ନାୟକ ସଭା ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ପ୍ରଧାନ , ଡିପିଏଚସିଓ, ସନ୍ତୋଷ ମିଶ୍ର, ଏପିମ, ପ୍ରଶାନ୍ତ ବରାଳ, ମନୋଜ ପଣ୍ଡା ଓ ଅନ୍ୟ କର୍ମଚାରୀ ମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେଓ