ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ

କେଉଁଠି ଷ୍ଟ୍ରିଟ୍ ଲାଇଟ ଜଳୁଛି ତ ଆଉ କେଉଁଠି ଜଳୁନାହିଁ। କେଉଁଠି ପୁଣି ଦିନରାତି ଜଳି ରହୁଛି।

ଭୁବନେଶ୍ୱର: ସହରରେ ସବୁ ୱାର୍ଡରେ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଷ୍ଟ୍ରିଟ୍ ଲାଇଟ ଜଳୁଛି ତ ଆଉ କେଉଁଠି ଜଳୁନାହିଁ। କେଉଁଠି ପୁଣି ଦିନରାତି ଜଳି ରହୁଛି। ଅବ୍ୟବସ୍ଥା ଭିତରେ ବିଏମସି ନିକଟରେ ଅଭିଯୋଗ ହେଉଛି। ହେଲେ କର୍ତ୍ତୁପକ୍ଷଙ୍କ ପାଖରୁ ସମାଧାନର କୌଣସି ବାଟ ଫିଟୁନାହିଁ।  ମାସେ ହେଲା ଏଭଳି ସମସ୍ୟା ଉପୁଜିଛି। ସମସ୍ୟା ସଂପର୍କରେ ଜାଣି ସୁଦ୍ଧା ନେତା କର୍ପୋରେଟର ସବୁ ଚୁପ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି। ସେହିପରି ସ୍ମାର୍ଟସିଟିରେ ସୌନ୍ଦର୍ୟ୍ୟକରଣ କରାଯାଉଥିବା ବେଳେ ଖୁଣ୍ଟ ଉପରେ ଅଧିକାଂଶ ବିଦ୍ୟୁତ ତାର ରାସ୍ତାରେ ଝୁଲି ରହୁଥିବା ବେଳେ କେତେକ ସ୍ଥାନ ମାନଙ୍କରେ ଖୁଣ୍ଟ ଗୁଡିକ କଳଙ୍କି ଲାଗି ଯାଇଛି ।  ତେବେ ଆଉ କେତେକ ସ୍ଥାନରେ ଖୁଣ୍ଟ ବଦଳରେ ବାଉଁଶ ସାହାର୍ୟ୍ୟରେ ତାର ଗୁଡିକ ବନ୍ଧା ଯାଇଛି ।  ସହରର ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥାରେ ପଡି ରହିଛି ବିଦ୍ୟୁତ ଖୁଣ୍ଟ ଏବଂ ତାର ।  ହେଲେ ଦୁର୍ଭାଗ୍ୟ ଏଥି ପ୍ରତି କାହାର ଦୃଷ୍ଟି ପଡୁନାହିଁ ।

ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ କେତେକ ସ୍ଥାନ ମାନଙ୍କରେ ଦିନ ରାତି ଅହରହ ଷ୍ଟ୍ରିଟ୍ ଲାଇଟ ଜଳୁଥିବା ବେଳେ ଆଉ କେତେକ ସ୍ଥାନ ମାନଙ୍କରେ ଲାଗିବା ଦିନ ଠାରୁ ଜଳୁନାହିଁ ।  ଶିଳ୍ପାଞ୍ଚଳ ମଞ୍ଚେଶ୍ବରରେ ବିଭିନ୍ନ ଗଳିକନ୍ଦିରେ ଷ୍ଟ୍ରିଟ୍ ଲାଇଟ ଅଛି କିନ୍ତୁ ତାହା କୌଣସି କାମରେ ଆସୁନାହିଁ । ସେହିପରି ରସୁଲଗଡ ,ଜିଜିପି କଲୋନୀରେ ଦିନରାତି ଅହରହ ଷ୍ଟ୍ରିଟ୍ ଲାଇଟ ଜଳି ରହୁଛି ।  ସେହିପରି ବିଭିନ୍ନ ବିଦ୍ୟୁତ ଖୁଣ୍ଟର ଅବସ୍ଥା କହିଲେ ନସରେ ।  ବିଦ୍ୟୁତ ତାର ରାସ୍ତାରେ ଝୁଲି ରହୁଥିବା ବେଳେ କେତେକ ସ୍ଥାନ ମାନଙ୍କରେ ଖୁଣ୍ଟ ଗୁଡିକ କଳଙ୍କି ଲାଗି ଯାଇଛି ।  ତେବେ ଆଉ କେତେକ ସ୍ଥାନରେ ଖୁଣ୍ଟ ବଦଳରେ ବାଉଁଶ ସାହାର୍ୟ୍ୟରେ ତାର ଗୁଡିକ ବନ୍ଧା ଯାଇଛି ।

ସାଧାରଣତଃ ୧୧କେଭି ତାର ମାଟି ଠାରୁ ୬.୧ ମିଟର ଓ ୩୩ କେଭି ତାର ମାଟି ଠାରୁ ୮ ମିଟର ଉଚ୍ଚରେ ରହିବା କଥା ।  କିନ୍ତୁ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।  ସହରର ପ୍ରମୁଖ ସ୍ଥାନ ଯଥା ବାଣୀ ବିହାର ଛକ, ରସୁଲଗଡ ଛକ, କଳ୍ପନା ଛକ ଏବଂ ବିଭିନ୍ନ ସ୍ଥାନରେ ତାର ଗୁଡିକ ଝୁଲି ରହିଛି ।  ସେହିପରି ବିଦ୍ୟୁତ ତାର ଝୁଲି ରହିଲେ କିମ୍ବା ବିପଦ ସୃଷ୍ଟି କଲେ ବିଦ୍ୟୁତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବା କଥା ।  ହେଲେ ଠିକ୍ ସମୟରେ ଯାଞ୍ଚ କରାଯାଉ ନଥିବାରୁ ପ୍ରତିଦିନ ଜୀବନ ସହ ବାଜି ଲାଗି ରହୁଛି ।  ଅନ୍ୟପକ୍ଷରେ  ଓଭରହେଡ କେବୁଲ ହଟାଇବା ବଦଳରେ ଦିନକୁ ଦିନ ଏହା ବିପଦ ସଂଙ୍କୁଳ ଅବସ୍ଥାରେ ଝୁଲି ରହୁଛି ।  ଧନ ଜୀବନ ସୁରକ୍ଷାକୁ ବିଦ୍ୟୁତ ବିଭାଗ ସର୍ବପ୍ରାଥମିକତା ଦେବା କଥା । ବର୍ଷ ବର୍ଷ ଧରି ପୁରୁଣା ତାର ଏବଂ ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟି ବଦଳାଯିବା ସହ ସ୍ମାର୍ଟସିଟି ଯୋଜନା ଅନ୍ତର୍ଗତରେ ସ୍ମାର୍ଟ କେବୁଲର ବ୍ୟବସ୍ଥା ଶୀଘ୍ର କରାଯାଉ ବୋଲି ସହରର ବୁଦ୍ଧିଜୀବି ମାନେ କହିଛନ୍ତି ।