ନୂଆଦିଲ୍ଲୀ : ଭାରତ- ଚୀନ ମଧ୍ୟରେ ଚାଲିଛି ସଙ୍ଘର୍ଷ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏବେ ଏହି ଘଟଣାକୁ ନେଇ ଆମେରିକା ପ୍ରତିକ୍ରିୟା ଦେଇଛି । ଏବଂ ଭାରତ ଡିସଏନଗେଜମେଣ୍ଟ ପାଇଁ ନେଉଥିବା ପଦକ୍ଷେପକୁ ଆମେରିକା ପ୍ରଶଂସା ମଧ୍ୟ କରିଛି । ପେଣ୍ଟାଗନର ପ୍ରେସ ସଚିବ ପ୍ୟାଟ ରାଇଡରଙ୍କ କହିବା ଅନୂଯାୟୀ, “ପ୍ରତିରକ୍ଷା ବିଭାଗ ନିୟମିତ ଭାବେ ଭାରତ-ଚାଇନା ସୀମାନ୍ତ ଏଲଏସିରେ ଘଟୁଥିବା ଘଟଣା ଉପରେ କଡା ନଜର ରଖିଛି। ଚାଇନା ପକ୍ଷରୁ ଏଲଏସିରେ ନିୟମିତ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ କରାଯାଉଛି । ସୀମାରେ ଚାଇନା ନିୟମିତ ଭାବେ ସୈନ୍ୟ ଏକାଠି କରୁଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଏପରି କରି ଚାଇନା ଉତ୍ତେଜନା ସୃଷ୍ଟି କରୁଛି । ହେଲେ ଉତ୍ତେଜନା ରୋକିବାକୁ ଭାରତ ନେଉଥିବା ପଦକ୍ଷେପକୁ ଆମେରିକା ସମର୍ଥନ କରୁଛି । ଆମେରିକା ସବୁବେଳେ ତା’ର ସହଯୋଗୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।” ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ଦିଆଯାଇଛି। ସଂଘର୍ଷ ସତ୍ତ୍ୱେ ଉଭୟ ଭାରତ ଓ ଚାଇନା ତୁରନ୍ତ ଡିସଏନଗେଜଡ ବା ସୈନ୍ୟ ପ୍ରତ୍ୟାହାର କରି ନେଇଥିବା ବାଇଡେନ ପ୍ରଶାସନ ଖୁସି ବା ଆଶ୍ୱସ୍ତ ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।