ନଭେମ୍ବର–ଡିସେମ୍ବରରେ ମହଙ୍ଗା ହୋଇପାରେ ପିଆଜ

ବିଶେଷଜ୍ଞଙ୍କ ପରାମର୍ଶ ମାଗିଲେ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ଡିସେମ୍ବର ମାସରେ ଦେଶରେ ବଡ ପିଆଜ ସଙ୍କଟ ସୃଷ୍ଟି ହେବା ସହ ମହଙ୍ଗା ହେବାକୁ ଯାଉଛି। ଯାହା ସରକାରଙ୍କ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପିଆଜର ସଙ୍କଟର ମୁକାବିଲା ପାଇଁ ପ୍ରାଥମିକ ପ୍ରକ୍ରିୟାକରଣ, ସଂରକ୍ଷଣ ଓ ମୂଲ୍ୟ ନିର୍ଦ୍ଧାରଣ, ବୈଷୟିକ ବିକାଶର ଆବଶ୍ୟକତା ଥିବା ସରକାର ସ୍ୱୀକାର କରିଛନ୍ତି। ବିଭିନ୍ନ ଆନୁସଙ୍ଗିକ କାରଣରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ପିଆଜ ସଂରକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥାଏ। ଆଗକୁ ଯେପରି ଫସଲ ନଷ୍ଟ ନହେବ ସେଥିଲାଗି ସରକାର ଦୃଷ୍ଟି ଦେବେ। ତେବେ ଏସବୁ ସମସ୍ୟାର ସମାଧାନ ଲାଗି ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଶହେରୁ ଅଧିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କୁ ପରାମର୍ଶ ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଚିଠି ଲେଖିଛି। ଛାତ୍ରଛାତ୍ରୀ, ଗବେଷକ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଆଲୋଚନାରେ ଅଂଶଗ୍ରହଣ କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପିଆଜ ଯୋଗାଣର ଅଭାବ ମୃଲ୍ୟ ବୃଦ୍ଧି ସରକାରଙ୍କ ଲାଗି ସବୁବେଳେ ଚିନ୍ତାର କାରଣ ପାଲଟିଥାଏ। ଏହାର ରାଜନୈତିକ ପ୍ରଭାବ ଯୋଗୁ ଏହା ଆହୁରି ଚିନ୍ତା ବଢାଇଥାଏ। ଅନେକ ସମୟରେ ଦର ହ୍ରାସ ଲାଗି ସରକାରଙ୍କୁ ବାହାରୁ ଆମଦାନୀ କରିବାକୁ ପଡିଥାଏ। ଭାରତରେ ବର୍ଷକୁ ୨୬୦ ଲକ୍ଷ ଟନ ପିଆଜ ଉତ୍ପାଦନ ହୋଇଥାଏ। ଏହାଛଡା ବର୍ଷକୁ ହାରାହାରି ୧୫୬ ଲକ୍ଷ ଟନ୍ ପିଆଜ ଖର୍ଚ୍ଚ ହୋଇଥାଏ। ଏହା ସତ୍ତେ୍ୱ ମଧ୍ୟ ପିଆଜର ଅଭାବ ପରିଲକ୍ଷିତ ହେଉଛି। ପୋକ ଓ ସଂକ୍ରମଣ କାରଣରୁ ପିଆଜ ଉତ୍ପାଦନରେ ହ୍ରାସ ଘଟୁଛି। ଏହାଛଡା ମାର୍ଚ୍ଚ ଓ ମେ ମାସରେ ପିଆଜ ଉତ୍ପାଦନର ମୂଳ ସ୍ଥାନ। ଏହି ସମୟରେ ବାର୍ଷିକ ଉତ୍ପାଦନର ୬୫ ପ୍ରତିଶତ ଉତ୍ପାଦିତ ହୋଇଥାଏ। ଉତ୍ପାଦନ ଓ ଯୋଗାଣରେ ଅଧିକ ହେତୁ ଏହି ସମୟରେ ଦର କମ ହୋଇଥାଏ।

ବିଶେଷଜ୍ଞଙ୍କ କହିବା ମୁତାବକ ରବି ଋତୁରେ ଅମଳ ହେଉଥିବା ପିଆଜକୁ ସଫଳତାର ସହିତ ଗଚ୍ଛିତ କରିବା ଆମ ପାଇଁ ଜରୁରୀ। ଯାହା ଫଳରେ ନଭେମ୍ବର-ଡିସେମ୍ବର ଭଳି ମାସରେ ବଜାର ଯୋଗାଣ ବଜାୟ ରହିବ ଓ ମୂଲ୍ୟରେ ଅପରିବର୍ତ୍ତିତ ରହିବ। ପିଆଜର ସଂରକ୍ଷଣର ଅଭାବ, ଫସଲ ନଷ୍ଟ ହେତୁ ସରକାରଙ୍କୁ ବାର୍ଷିକ ୧୧ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଏଥିପାଇଁ ସଂରକ୍ଷଣର ସମାଧାନ ସହ ଅଧିକ ମୂଲ୍ୟଯୁକ୍ତ ପିଆଜ ଉତ୍ପାଦନ ପାଇଁ ବ୍ୟବସ୍ଥା କରାଗଲେ କୃଷକଙ୍କ ଆୟରେ ଉନ୍ନତି ଆସି ପାରିବ ବୋଲି ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।