ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ବିରୋଧୀ ବିଭାଜିତ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିରୋଧୀ ଶିବିର ବିଭାଜନ ସୃଷ୍ଟି ହୋଇଛି। ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ୨୨ଟି ଦଳ ମଧ୍ୟରୁ ୧୮ଟି ଦଳ ଏକାଠି ହୋଇଥିଲେ। ହେଲେ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ପରେ ଆଦିବାସୀ ପ୍ରସଙ୍ଗ ନେଇ ସେଥିରୁ କେତେକ ହାତଛଡା ହେବାର ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ନିର୍ବାଚନରେ ବ୍ୟକ୍ତିତ୍ୱ ଅପେକ୍ଷା ଦଳ ଅଧିକ ଗୁରୁତ୍ୱ ବହନ କରୁଛି। ସେ ଦୃଷ୍ଟିରୁ ଦ୍ରୌପଦୀ ଆଗୁଆ ରହିଛନ୍ତି। ଆଦିବାଦୀ ହୋଇଥିବାରୁ ହାୱା ତାଙ୍କ ସପକ୍ଷରେ ରହିଛି। ଝାଡଖଣ୍ଡରେ ହେମନ୍ତ ସୋରନଙ୍କ ନେତୃତ୍ୱରେ ଜେଏମଏମ ସରକାର ଚାଲିଛି। ଜେଏମଏମ ୟପିଏ ମେଣ୍ଟ ସହିତ ରହିଥିଲେ ମଧ୍ୟ ଆଦିବାସୀ ଯୋଗୁ ଦ୍ୱନ୍ଦ୍ୱରେ ରହିଛି। ଏହାଛଡା ଶ୍ରୀମତୀ ମୁର୍ମୁ ଝାଡଖଣ୍ଡର ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିସାରିଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଝାଡଖଣ୍ଡ ରାଜ୍ୟ ବାସିନ୍ଦା। ତେଣୁ ଏ ପରିସ୍ଥିତି ହେମନ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସଆର କଂଗ୍ରେସ ଖୋଲାଖୋଲି ଭାବେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ଗତକାଲି ଓଡି଼ଶା କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ରାଜ୍ୟର କଂଗ୍ରେସ ସମାନ ସଙ୍କଟରେ ପଡିଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ସମେତ ବିଜେଡି. ଏଲଜେପି (ରାମବିଳାସ), ୱାଇଏସଆର କଂଗ୍ରେସ ପ୍ରମୁଖଙ୍କର ସମର୍ଥନ ରହିଛି। ସେହିପରି ମିଳିତ ବିରୋଧୀଦଳର ପ୍ରାର୍ଥୀ କଂଗ୍ରେସ ସମେତ ଟିଏମସି, ଏନସିପି, ଶିବସେନା ସିପିଆଇ, ସିପିଏମ, ପିଡିପି, ଜେଡିଏସ ଆରଏଲଡି ପ୍ରମୁଖଙ୍କ ସମର୍ଥନ ରହିଛି। ତେବେ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ପରେ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା ଭାରି ହୋଇଥିବା ଜଣାପଡିଛି।