କନ୍ଧମାଳ: ସରକାରଙ୍କ ବହୁବିଧ ଯୋଜନା ଏଠି ଫେଲ୍ ମାରୁଛି। ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୁଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା, କୁଡୁତୁଲି ଗ୍ରାମ ପଂଚାୟତର ସାରକେତା ଗାଁ ରେ । ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନି । ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ ସମସ୍ୟାର କୌଣସି ସୁଫଳ ମିଳିନାହିଁ ।
କୁଡୁତୁଲି ଗ୍ରାମ ପଞ୍ଚାୟତର ସାରକେତା ଗାଁ ର ନିମାପଡା,ଖଲିଆପଦର ଓ ବାଲିପଙ୍କାଲ ଅଞ୍ଚଳରେ ପାଖାପାଖି ୩୦ ବର୍ଷ ହେବ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଦୀର୍ଘ ବର୍ଷ ପରେ ଗାଁରେ ଏକ ନଳକୂପ ନୂତନ ଭାବେ ଖୋଳାଯାଇଛି ସତ କିନ୍ତୁ ତାହା ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନର କେତେ ଆନ୍ତରିକତା ଅଛି ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।
“ଜଳ ହିଁ ଜୀବନ” ଏଣୁ ବାଧ୍ୟ ହୋଇ ପ୍ରତିଦିନ ଦୁଇ କିଲୋମିଟର ବାଟଯାଇ ଗ୍ରାମବାସୀଙ୍କ ଦ୍ବାରା ବିଲମଝିରେ ଖୋଳାଯାଇଥିବା ଚୁଆର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଜଣା ରୋଗରେ ପୀଡିତ ହେଉଛନ୍ତି ଲୋକେ। ଏ ତ ଗଲା ଜଳ କଷ୍ଟ । ବିଜୁଳି କଥା ନକହିବା ଭଲ । ବିଜୁଳି ଆଲୋକ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ରାଜନେତା ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ସେପଟେ ତୁରନ୍ତ ପ୍ରଶାସନ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ।