ଗରା ବାଲଟି ଧରି ପାଣି ବୁନ୍ଦାଏ ପାଇଁ ରାଜରାସ୍ତାରେ ଧାରଣାରେ ବସିଲେ ଗ୍ରାମବାସୀ

ଉଦଳା: ବାରମ୍ବାର ଦାବି ପରେ ମଧ୍ୟ କେହି ଶୁଣିଲେ ନାହିଁ । ଶେଷରେ ଗରା ବାଲଟି ଧରି ପାଣି ବୁନ୍ଦାଏ ପାଇଁ ରାଜରାସ୍ତାରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳାରେ । ଉଦଳା-ବାରିପଦା ରାଜ୍ୟ ରାଜପଥର କଲିଆ ଛକ ନିକଟରେ ଧାରଣାରେ ବସିଛନ୍ତି ଗ୍ରାମବାସୀ । ସ୍ଥାନୀୟ ବ୍ଲକ ଅଧିନ ବଡଖମଣ ପଞ୍ଚାୟତ ଖଣ୍ଡାଚିରା ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳର କୌଣସି ସୁବିଧା ନାହିଁ ।

ଗ୍ରାମରେ ଦୁଇଗୋଟି ନଳକୂପ ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡିଥିବା ବେଳେ ନାଳ ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି । ଯାହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା, କେହି ତାଙ୍କ କଥା କର୍ଣ୍ଣପାତ ନ କରିବାରୁ ଆଜି ଗ୍ରାମବାସୀମାନେ ଗରା ବାଲଟି ଧରି ରାଜ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ । ତେବେ ତୁରନ୍ତ ଗ୍ରାମକୁ ପାନୀୟ ଜଳର ସୁବିଧା କରାଇ ଦିଆ ନ ଗଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।