ବନ୍ଦ ହେଲା ନାଏବ ସରପଂଚ ନିର୍ବାଚନ

0

ଉଦଳା(ଦୀପକ ମିଶ୍ର)- ବନ୍ଦ ହେଲା ନାଏବ ସରପଂଚ ନିର୍ବାଚନ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ନିର୍ବାଚନ ବନ୍ଦ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକ ନୂଆଗାଁ ପଂଚାୟତରେ । ନୂଆଗାଁ ପଂଚାୟତରେ ୧୧ ଗୋଟି ୱାର୍ଡ ରହିଥିବା ବେଳେ ଆଜି ଥିଲା ନାଏବ ସରପଂଚ ନିର୍ବାଚନ । ଏଠାରେ ପଂଚାୟତ ନିର୍ବାଚନରେ ଚନ୍ଦ୍ରମୋହନ ପରିଆଳ ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ୫ ଜଣ ୱାର୍ଡ ମେମ୍ବରଙ୍କୁ ଧରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ବିପକ୍ଷରେ ରହିଥିବା ପ୍ରାର୍ଥୀ ଜିତିବା ନିମନ୍ତେ ୬ ଜଣ ୱାର୍ଡ ମେମ୍ବରଙ୍କୁ ନିଜ ସମର୍ଥକ ଭାବେ ରଖିଥିଲେ । ହେଲେ ଆଜି ନିର୍ବାଚନ ସମୟରେ ଏଠାରେ ଦେଖାଦେଇଥିଲା ଉତ୍ତେଜନା । ତେବେ ୩ ଜଣ ୱାର୍ଡ ମେମ୍ବରଙ୍କୁ ତାଙ୍କ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ସୁଯୋଗ ଦିଆ ଯାଇ ନ ଥିଲା । ସେମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରୁ ବାହାର କରି ଦିଆଯାଇଥିଲା । ଯାହାକୁ ନେଇ ଭୋଟ ଗ୍ରହଣ କେନ୍ଦ୍ରରେ ଉତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହିତ ମାରପିଟ ହୋଇଥିଲେ । ଯାହାକି ଦୀର୍ଘ ସମୟ ଧରି ଏଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ଶେଷରେ ଏହି ପଂଚାୟତରେ ନାଏବ ସରପଂଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।