ନିଜ ରିସ୍କରେ ନିବେଶ କର

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିରେ ନିବେଶ କରୁଛନ୍ତି କି? ନିଜ ରିସ୍କରେ ନିବେଶ କରନ୍ତୁ । ଏଭଳି ଢଙ୍ଗରେ ନିବେଶକଙ୍କୁ ସତର୍କ କରାଇଛନ୍ତି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । କ୍ରିପ୍ଟୋ କରେନ୍ସିର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଏଥିରେ ନିବେଶ କରିବାକୁ ଆକୃଷ୍ଟ କରୁଛି । ଡିଜିଟାଲ ପେମେଣ୍ଟ ସିଷ୍ଟମ କ୍ରିପ୍ଟୋକରେନ୍ସିରେ ଆଜିକାଲି ସମସ୍ତେ ପ୍ରାୟ ନିବେଶ କରୁଛନ୍ତି ।
କିନ୍ତୁ ଆରବିଆଇର ଗଭର୍ଣ୍ଣର ଶକ୍ତିକକାନ୍ତ ଦାଶ କହିଛନ୍ତି ଦେଶର ଆର୍ଥିକ ସ୍ଥିରତା ପ୍ରତି ଏହା ବିପଦ । ନିବେଶକଙ୍କୁ ମନେ ରଖିବାକୁ ହେବ ଯେ ସେମାନେ ନିଜ ରିସ୍କରେ ଏଥିରେ ନିବେଶ କରୁଛନ୍ତି । ତାଙ୍କର କାମ କେବଳ ସେମାନଙ୍କୁ ସତର୍କ କରାଇବା । ଆର୍ଥିକ ସ୍ଥିରତା ତଥା ରିଜର୍ଭ ବ୍ୟାଙ୍କର ଦକ୍ଷତାକୁ ମଧ୍ୟ ଏହା କମ୍ କରିଦେବ । କ୍ରିପ୍ଟୋକରେନ୍ସିର ତୁଳନା ସେ ଟ୍ୟୁଲିପ୍ ଫୁଲ ସହ କରିଛନ୍ତି ା ୧୭ଶହ ଶତାବ୍ଦୀରେ ନେଦରଲ୍ୟାଣ୍ଡର ନିବେଶକମାନେ ଏକଦା ଟ୍ୟୁଲିପ୍ ଫୁଲରେ ନିବେଶ କରି ଲାଭ କରିବାରୁ ଏହାର ମୂଲ୍ୟ ଅତ୍ୟଧିକ ବଢିଯାଇଥିଲା । ଗୋଟିଏ ଗୋଟିଏ ଟ୍ୟୁଲିପ୍ ଫୁଲର ଦାମ୍ ସେତେବେଳେ ଜଣେ ବ୍ୟକ୍ତିର ବାର୍ଷିକ ଆୟ ଏବଂ ଘରଠାରୁ ମଧ୍ୟ ଅଧିକ ହୋଇଯାଇଥିଲା । ସେହିପରି କ୍ରିପ୍ଟୋକରେନ୍ସି କିଣିବା ପାଇଁ ଲୋକଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ଦେଖାଦେଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ଘଟୁଛି । ଏହାର କୌଣସି ଅର୍ନ୍ତନିହିତ ମୂଲ୍ୟ ନାହିଁ । ଏହା ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ ।
କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ଆଣିବା ପାଇଁ ସରକାର ଅନେକ ତର୍ଜମା କରୁଛନ୍ତି । ଏହା ଯେପରି ନକଲ ନହୁଏ କିମ୍ବା ସାଇବର ଆକ୍ରମଣର ଶିକାର ନହୁଏ ସେନେଇ ସରକାର ତର୍ଜମା କରୁଛନ୍ତି ।ଗତ୨ବର୍ଷ ହେବ ଡିଜିଟାଲ କରେନ୍ସି ଉପରେ ଅନୁଧ୍ୟାନ ଚାଲିଛି । ସିବିଡିସି କେବେ ବଜାରକୁ ଆସିବ ସେ ସର୍ମ୍ପକରେ ମଧ୍ୟ କୌଣସି ସୂଚନା ଦିଆଯାଇଯାଇପାରିବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
୨୦୨୨-୨୩ କେନ୍ଦ୍ର ବଜେଟ୍ରେ ସରକାର ଏଭଳି ଆସେଟରୁ୍ ହେଉଥିବା ଆୟ ଉପରେ ୩୦ % ଟ୍ୟାକ୍ସ ଲଗେଇବାକୁ ଘୋଷଣା କରିଛନ୍ତି । କ୍ରିପ୍ଟୋ ହିତାଧିକାରୀ ଏହାକୁ ସ୍ୱାଗତ କରିଛନ୍ତି କାରଣ ଏହା ଦ୍ୱାରା ସରକାର କ୍ରିପ୍ଟୋକରେନ୍ସିର ବୈଧତାକୁ ସ୍ପଷ୍ଟ କରିଛନ୍ତି । ବିଟ୍ କଏନ୍ , ଇଥେରିୟମ୍, ଡୋଜ କଏନ୍,ଏଟିସି,ସୋଲାନା,ପଲିଗନ୍, ଲାଇଟକଏନ୍ ଭଳି ଶତାଧିକ କ୍ରିପ୍ଟୋକରେନ୍ସିରେ ଲୋକେ ନିବେଶ କରୁଛନ୍ତି । ସେପଟେ ରାଜ୍ୟସଭାରେ ବଜେଟ୍ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି କ୍ରିପ୍ଟୋକରେନ୍ସି ଅବୈଧ ନୁହେଁ କି ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଏହାର କାରବାରରୁ ଯେଉଁ ଆୟ କରାଯିବ ତାହା ଉପରେ କେବଳ ଟ୍ୟାକ୍ସ ଲଗାଯିବ । ଡିଜିଟାଲ କରେନ୍ସି ଉପରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ସବୁ ଦଳଙ୍କର ମତାମତ ନିଆଯିବ ବୋଲ କହିଛନ୍ତି ଅର୍ଥମନ୍ତ୍ରୀ ।