ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଏବେ ପଡ଼ୋଶୀ ପୁଡୁଚେରୀରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ତାଙ୍କୁ କ୍ଲାସ କରିବାକୁ ଅନୁମତି ଦିଆଯାଇ ନାହିଁ । ସ୍କୁଲ ପ୍ରିନ୍ସିପାଲ ଛାତ୍ରୀଙ୍କୁ ବୁର୍ଖା କିମ୍ବା ହିଜାବ ପିନ୍ଧି ଏଠାକୁ ନଆସିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହାକୁ ବିରୋଧ କରି କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଶିକ୍ଷା ନିର୍ଦ୍ଦେଶକ ପିଟି ରୁଦ୍ର ଗୌଡାଙ୍କୁ ଘଟଣା ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଯ୍ୟନକୁପ୍ପାମ ସରକାରୀ ସ୍କୁଲ ମୁଖ୍ୟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି । ସ୍କୁଲକୁ ହିଜାବ ଓ ବୁର୍ଖା ପିନ୍ଧି ଯାଉଥିବା ୯ମ ଶ୍ରେଶୀର ଛାତ୍ରୀଙ୍କ ବାପା ଇକବାଲ ବାଶା କହିଛନ୍ତି, “ବୁର୍ଖା ଖୋଲି କେବଳ ହିଜାବରେ ମୋ ଝିଅ କ୍ଲାସରେ ପାଠପଢ଼ିବ ବୋଲି ଅନୁମତି ପାଇଥିଲା । ହେଲେ ଫେବୃଆରୀ ୪ରେ ସ୍କୁଲ ଖୋଲିବା ମାତ୍ରେ ସ୍କୁଲ ପ୍ରିନ୍ସିପାଲ ହିଜାବ ଓ ବୁର୍ଖା ଉଭୟକୁ ବିରୋଧ କରିଥିଲେ । ଏହି ସ୍କୁଲରେ ମୋ ଝିଅ ପ୍ରଥମ ଶ୍ରେଣୀରୁ ପଢ଼ୁଛି । ସବୁବେଳେ ସେ ହିଜାବ ପିନ୍ଧି ସ୍କୁଲ ଯାଏ । କିନ୍ତୁ କିଛି ମାସ ହେଲା ଏହାକୁ ବିରୋଧ କରାଯାଉଛି।”