ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନ୍ ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ତଥା ଆଲୁମନି ଗିରିଶ ମହାପାତ୍ର ମୁଖ୍ୟଅତିଥି, ଆସୋସିଏସନର ଉପସଭାପତି ତଥା ଆଲୁମନି ବବିତା ମହାପାତ୍ର ଓ ସାମାଜିକ କର୍ମୀ ତଥା ଆଲୁମନି ପଶୁପତିନାଥ ଚାଟାର୍ଜୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଇନ ସହାୟତା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ମହାପାତ୍ର କହିଲେ ଯେ ୧୯୫୨ ମସିହାରେ ଜଷ୍ଟିସ ଭି.ଆର.କୃଷ୍ଣା ଆୟାର ଆଇନ ସହାୟତା ସଂପର୍କରେ ଏକ ଆଇନ ପ୍ରଣୟନ କରିଥିଲେ। ୧୯୮୭ରେ ଲିଗାଲ ଅଥୋରିଟ ଆକ୍ଟ ଆରମ୍ଭ ହେଲା। ଏହାର ମୂଳଲକ୍ଷ୍ୟ ହେଲା
ଏହି ଆଇନ ବଳରେ ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକ ସାମାଜିକ ନ୍ୟାୟ ପାଇପାରିବେ। ସଚେତନତା ଅଭାବରୁ ଅନ୍ଧବିଶ୍ବାସ ଓ କୁସଂସ୍କାର ବ୍ୟାପିଥାଏ।ଏଥିପାଇଁ ସେ ସଚେତନତା କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ବକ୍ତା ଶ୍ରୀମତୀ ମହାପାତ୍ର କହିଲେ ଯେ ସାକ୍ଷରତା ଓ ଅନଭିଜ୍ଞତା ଯୋଗୁଁ ଆମେ ଆଇନ ସହାୟତା ପାଇପାରିନାହୁଁ। ନ୍ୟାୟ ପାଇବା ସମସ୍ତଙ୍କ ଅଧିକାର। ଏହା ସହ ଜିରୋ ଏଫଆଇଆର ଓ କେଉଁ ମାଧ୍ୟମରେ ଆଇନ ସହାୟତା ପାଇବେ,
ସେ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଶ୍ରୀ ଚାଟାର୍ଜୀ ଆର୍ଥିକ ଅନଗ୍ରସର ବ୍ୟକ୍ତି ନ୍ୟାୟ ପାଇବା ପାଇଁ ନ୍ୟାୟମୂର୍ତ୍ତୀ ଭଗବତୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିବା ସହ ସାମାଜିକ ଦାୟିତ୍ୱବୋଧ ଓ ନାରୀ ସଶକ୍ତିକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଲୁମନି ଆଲୋକ ରଂଜନ ପିଙ୍ଗୁଆଙ୍କ ନେତୃତ୍ଵରେ ସିଡବ୍ଲ୍ୟୁଏସ ଗୃପର ସ୍ବେଚ୍ଛାସେବୀମାନେ ଯୋଗଦେଇ ଆଇନ ସଂପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦତ୍ତ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ,ଅତିଥିଙ୍କ ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ଡଃ ବେହେରା ଆଇନର ଉପଯୋଗୀତା ଓ ଏହାର ସୁଫଳ ପାଇବା ପାଇଁ କିଭଳି ପ୍ରୟାସ କରାଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲୁମନି ଆସୋସିଏସନ୍ ର କାର୍ୟ୍ୟକାରୀ ସଂପାଦକ ଦେବାଶିଷ ମହାନ୍ତି ଓ କୋଷାଧ୍ୟକ୍ଷା ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା ମଞ୍ଚାସୀନ ଥିବା ବେଳେ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟାପିକା ଡଃ ସଂପାଦିକା ମହାନ୍ତି, ଅଧ୍ୟାପକ ତନ୍ମୟ ରାଜ ପାଢୀ, ବିଶିଷ୍ଟ ଲେଖକ ଗଣେଶ ଚନ୍ଦ୍ର ମେକାପ, ଆଞ୍ଚଲ ପ୍ରଧାନ, ଅନପୂର୍ଣା ଟୁଟୁ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।