ଢେଙ୍କାନାଳ: ରାଜ୍ୟରେ କୋରୋନା ସଂକ୍ରମଣର ହ୍ରାସକୁ ଲକ୍ଷ୍ୟ କରି ନବମ ଏବଂ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲାଯାଇଛି । କିନ୍ତୁ କୋରୋନାର ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ନେଇ ଏବେ ଚିନ୍ତାରେ ପଡିଯାଇଛି ସ୍ୱାସ୍ଥ୍ୟ ବିଭାଗ । ଏହି ସମୟରେ ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ କାନପୁରର ପଞ୍ଚାୟତରାଜ ହାଇସ୍କୁଲ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏହି ସ୍କୁଲକୁ ୭ ଦିନ ପାଇଁ ବନ୍ଦ ରକିବାକୁ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟର ଉଭୟ ଶ୍ରେଣୀର ମୋଟ ୧୧ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ଏକ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ।
ସୂଚନା ଅନୁସାରେ ଗତ ସପ୍ତାହରେ ସ୍କୁଲର ଶିକ୍ଷକଙ୍କ ସମେତ ୯ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ମୋଟ ୧୧ ଜଣ ଚିହ୍ନଟ ହେବା ପରେ ଶିକ୍ଷା ବିଭାଗ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧ ତାରିଖ ଦିନ ୧୪୭ ଜଣ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧ ଜଣଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ଏହାପରେ ସ୍କୁଲ ବନ୍ଦ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ କ୍ୱାରାଣ୍ଟାଇନରେ ରହିବା ସହିତ ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ଦେଇଛନ୍ତି ସ୍କୁଲର ପ୍ରଧାନଶିକ୍ଷକ ।