ଗୋପ (ଜୟନ୍ତ କୁମାର ସେଠୀ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଣଭୋଜି ବେଶ ଏବଂ କୋଳିବିକା ନିତୀ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବଡଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇ ମଧ୍ୟାହ୍ନ ଧୂପ ବଢ଼ିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥାଏ ।
ସଂଧ୍ୟା ସୁଦ୍ଧା ଏହି ଧୂପ ସରି ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ । ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ଵାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥାନ୍ତି ରାମକୃଷ୍ଣ । ଏହି ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ପାର୍ଶ୍ୱ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହିଠାରେ ଅନୁଷ୍ଠିତ ହୋଇଥାଏ ଶ୍ରୀଜୀଉଙ୍କ କୋଳିବିକା ନୀତି ।

କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶରେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ସହ ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ୱର୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ କାଷ୍ଠ ନିର୍ମିତ ଗାଈ ବାଛୁରୀ ଦଣ୍ଡାୟମାନ ରହିଥାନ୍ତି । ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ଏହି ବେଶ ସମ୍ପନ୍ନ ହୋଇଥାଏ ।
ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି । ବେଶରେ ଠାକୁରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା, ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ ।

ପୁରାଣ ଏବଂ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀ ନେଇ ବନଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବନଭୋଜି ବେଶ ପାଳନ ହେଉଥିବାର ଲୋକଙ୍କ ମନରେ ବିଶ୍ୱାସ ରହିଛି । ଶ୍ରୀଜୀଉମାନେ ବଣଭୋଜି ଉଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଏହି ବେଶରେ ପ୍ରକଟିତ ହୋଇଥାଏ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଯାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ହୋଇଥାଏ ।