ମଦକୁ କଟକ ନଗର କଂଗ୍ରେସର ବିରୋଧ

କଟକ(ଜଗନ୍ନାଥ ମହାନ୍ତି): କଟକ ସହରରେ ମଦ ଦୋକାନ ବ୍ୟାପକ ଭାବରେ ବୃଦ୍ଧି କଲେଣି ସରକାର । ସରକାର ନିଜର ସ୍ୱଚ୍ଛ ଶାସନର ଦ୍ୱାହି ଦେଇ ମଦ ଦୋକାନ ଖୋଲି ମଦର ବହୁଳ ଭାବେ ପ୍ରଚାର କରୁଛନ୍ତି । ଏହାକୁ କଡା ବିରୋଧ କରିଛି କଂଗ୍ରେସ। ଆଉ ଏହାକୁ ବିରୋଧ କରି ଆସନ୍ତା ସୋମବାର ଦିନ ଧାରଣା ବିକ୍ଷୋଭ କାର୍ୟ୍ୟକ୍ରମ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛି କଟକ ନଗର ମହିଳା କଂଗ୍ରେସ। ବିଶେଷ କରି ସହରର ସମ୍ବେଦନଶୀଳ ବା ଜନଗହଳିପୁର୍ଣ୍ଣ ସ୍ଥାନରେ ସରକାର ମଦ କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବକ୍ସିବଜାର, ଝୋଲାସାହି, ନୂଆପାଟଣା, ରୋଭରଷ୍ଟ୍ରିଟ୍, ସତୀଚଉରା, ରାଜାବଗିଚା ଲେବରକଲୋନୀ, ନୂଆପଡା ଆଦି ଜନବସତି ସ୍ଥାନ ମାନଙ୍କରେ ମଦ ଦୋକାନ ଖୋଲିବାକୁ ଯାଉଛନ୍ତି । ସମ୍ପୃକ୍ତ ସ୍ଥାନମାନଙ୍କରେ ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ, ବିଭିନ୍ନ ଧର୍ମାନୁଷ୍ଠାନ, ନର୍ସିଂହୋମ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଅଞ୍ଚଳରେ ବେଆଇନ ଓ ଅନୈତିକ ଭାବେ ମଦ ଦୋକାନ ଖୋଲାଯିବା ନେଇ ମହିଳା କଂଗ୍ରେସ ଦୃଢ ବିରୋଧ କରୁଛି । ମଦକୁ ପ୍ରଚାର ପ୍ରସାର କରି କୋଟି କୋଟି ଟଙ୍କା ରାଜସ୍ୱ କମାଇବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଏହାର କୁପ୍ରଭାବ ସମାଜ ଉପରେ ପଡିବ। ଏହାସହ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପ ମଧ୍ୟ ବୃଦ୍ଧି ପାଇବ । ତେଣୁ ଜନବସତି ବା ବ୍ୟସ୍ତ ବହୁଳ ସ୍ଥାନରେ ମଦ ଦୋକାନକୁ ଉଚ୍ଛେଦ ଦାବି କରି ସୋମବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ପ୍ରେସମିଟରେ ସୂଚନା ଦେଇଛନ୍ତି । ପ୍ରେସମିଟରେ ନଗର ସଭାନେତ୍ରୀ ଗିରିବାଳା ବେହେରା, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନାଙ୍କ ସମେତ ବହୁ ମହିଳା କର୍ମି ଉପସ୍ଥିତ ଥିଲେ।