୨୦୩୨ ଅଲିମ୍ପିକ୍ସ ଆୟୋଜନର ଅଧିକାର ହାସଲ କଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଆଗାମୀ ୨୦୩୨ ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିଛି । ତେବେ ଏଥର ବ୍ରିସବେନ୍ ସହର ଆୟୋଜନ କରିବ ବିଶ୍ୱର ସର୍ବ ବୃହତ୍ କ୍ରୀଡା ପ୍ରତିଯୋଗିତା ।
(ଦିଲ୍ଲୀ) : ଅଷ୍ଟ୍ରେଲିଆ ଆଗାମୀ ୨୦୩୨ ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିଛି । ତେବେ ଏଥର ବ୍ରିସବେନ୍ ସହର ଆୟୋଜନ କରିବ ବିଶ୍ୱର ସର୍ବ ବୃହତ୍ କ୍ରୀଡା ପ୍ରତିଯୋଗିତା । ଜୁଲାଇ ମାସ ୨୩ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହୋଇ ଅଗଷ୍ଟ ମାସ ୮ ତାରିଖରେ ଶେଷ ହେବାକୁ ଥିବା ବେଳେ କ୍ରୀଡ଼ା ପ୍ରତିଯୋଗିତର ସମସ୍ତ ଇଭେଣ୍ଟ ବ୍ରିସ୍ବେନ୍ ସମେତ ସମଗ୍ର କୁଇନ୍ସଲାଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିବା ଗୋଲ୍ଡ କୋଷ୍ଟ ମଧ୍ୟ ଆୟୋଜନ ସହର ମଧ୍ୟରେ ରହିବ ।
ସୂଚନାନୁଯାୟୀ , ଅଷ୍ଟ୍ରେଲିଆର ତୃତୀୟ ସହର ଭାବେ ବ୍ରିସ୍ବେନ୍ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି । ପୂର୍ବରୁ ୧୯୫୬ରେ ମେଲ୍ବୋର୍ଣ୍ଣ ଓ ୨୦୦୦ ମସିହାରେ ସିଡନୀ ସହର ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ କରିସାରିଛି । ଟୋକଓରେ ଚାଲିଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର ୧୩୮ତମ ଅଧିବେଶନର ଦ୍ୱିତୀୟ ଦିବସ ଅବସରରେ ବ୍ରିସ୍ବେନ୍କୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା । ଆଇଓସିର ସମସ୍ତ ସଦସ୍ୟ ବ୍ରିସବେନ୍ ସପକ୍ଷରେ ମତ ଦେଇଥିଲେ । ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଲାଗୁ କରାଯାଇଥିବା ନୂଆ ଫର୍ମାଟ୍ ଅନୁୟାୟୀ ବ୍ରିସ୍ବେନ୍ ବିଜେତା ଘୋଷିତ ହୋଇଥିଲା ।