(ଭୁବନେଶ୍ୱର/ରାଜେଶ ସାହୁ): କେବଳ ବିଦ୍ୟୁତ୍ ଓ ପାନୀୟ ଜଳ ସେବା ମିଳୁଛି। ବିଦ୍ୟୁତ୍ ସେବା ମିଳୁଛି, କିନ୍ତୁ ଲୋ-ଭୋଲ୍ଟେଜ୍ ଚିର ସହଚର। ତେବେ ଆଉ କୌଣସି ସେବା ମିଳୁନି। ନା ଅଛି ପକ୍କା ରାସ୍ତା, ନା ଅଛି ଡ୍ରେନ୍। ଅଳିଆ ଆବର୍ଜନା ଉଠୁନି। ବର୍ଷ ସାରା ପଚା ପାଣି ଭାସୁଛି ରାସ୍ତାରେ। ଭୁବନେଶ୍ବର ମହାନଗର ନିଗମର ବାସିନ୍ଦା ବୋଲି କେବେ ବି ଅନୁଭବ କରି ହେଉନି। ବିଏମ୍ସିକୁ ସବୁ ପ୍ରକାର ଟିକସ ଗଣିବା ସତ୍ତ୍ବେ ୮ ବର୍ଷ ହେଲା ଏମିତି କଦର୍ୟ୍ୟ ଭାବେ ରହିଛନ୍ତି ଶହେ ପରିବାର।
ଏହା ହେଉଛି ବିଏମ୍ସି ୫ ନମ୍ବର ୱାର୍ଡ ଅର୍ନ୍ତଗତ ଚକେଇସିହାଣି ବଜରଙ୍ଗୀବିହାର ବାସିନ୍ଦାଙ୍କ ଦୁର୍ଦ୍ଦଶାର କଥା। ବଜରଙ୍ଗୀବିହାର ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୮ ବର୍ଷ ହେଲା ୧୦୦ରୁ ଊର୍ଦ୍ଧ୍ବ ପରିବାର ରହି ଆସୁଛନ୍ତି। ଆଜି ପର୍ୟ୍ୟନ୍ତ ତାଙ୍କ କଲୋନିକୁ ପକ୍କାା ରାସ୍ତା ଏବଂ ଡ୍ରେନ୍ ହୋଇପାରିଲା ନାହିଁ। ବିଏମ୍ସି ପକ୍ଷରୁ ନିୟମିତ ଅଳିଆ ଉଠା ଯାଉନଥିବାରୁ ପଚାସଢ଼ା ଦୁର୍ଗନ୍ଧ ଭିତରେ ସେମାନେ ସନ୍ତୁଳି ହେଉଛନ୍ତି। ଥ୍ରୀ-ଫେଜ୍ ଲାଇନ୍ ବ୍ୟବସ୍ଥା କରାଯାଇନଥିବା ହେତୁ ଲୋ-ଭୋଲ୍ଟେଜ୍ ସମସ୍ୟା ଲାଗି ରହୁଛି। ସବୁଠୁ ବଡ଼ ସମସ୍ୟା ହେଲା ଡ୍ରେନ୍ଜ୍ ବ୍ୟବସ୍ଥା। ଲୋକମାନଙ୍କ ଘରର ଆବର୍ଜନା ଜଳ ରାସ୍ତାକୁ ଆସି ଜମି ରହୁଛି। କାଦୁଅ ପଚପଚ ରାସ୍ତା ପାଇଁ ବରିଷ୍ଠ ନାଗରିକ ଏବଂ ଛୋଟ ପିଲାମାନେ ଘରୁ ବାହାରି ପାରୁନାହାନ୍ତିା ଅଧିକ ବର୍ଷା ହେଲେ, ପଚା ପାଣି ଘରେ ପଶୁଛି।
ଏନେଇ ବଜରଙ୍ଗୀବିହାର ଉନ୍ନୟନ ପରିଷଦର ସମ୍ପାଦକ ବନୋଜ କୁମାର ସାମଲଙ୍କ କହିବା କଥା ସେମାନେ ବିଏମ୍ସିରେ ବାରମ୍ବାର ଅଭିଯୋଗ କରିଛନ୍ତି। ରାସ୍ତା ପାଇଁ ବାରମ୍ବାର ମାପଚୁପ ହେଉଛି। ହେଲେ ରାସ୍ତା ନିର୍ମାଣ କରାଯାଉନାହିଁ। ସ୍ଥାନୀୟ ଅଧିବାସୀ ମମତା ମଞ୍ଜରୀ ସାହୁଙ୍କ କହିବା କଥା ଏସମ୍ପର୍କରେ ମହିଳାମାନେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଅନେକ ଥର ଅଭିଯୋଗ କରିଛନ୍ତିା ମାତ୍ର ସମସ୍ତେ କେବଳ ଫମ୍ପା ଆଶ୍ବାସନା ଦେଇ ଦିନ ଗଡ଼େଇ ଚାଲିଛନ୍ତି। ବିଏମ୍ସିର ଏହି ବୈମାତୃକ ମନୋଭାବ ବିରୋଧରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।