ଜିଲ୍ଲା ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଓ ମିଶ୍ରଣ ପର୍ବ ଆୟୋଜିତ

(ଜୟନ୍ତ କୁମାର ସେଠୀ/ପିପିଲି): ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ମେଳଣ ପଡ଼ିଆ ଠାରେ ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଥିଲା। ଏଥିରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଏବଂ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ । ବ୍ୟକ୍ତିର ବିକାଶ ଉପରେ ସମାଜର ବିକାଶ ନିର୍ଭର କରିଥାଏ ବୋଲି ଏହି ଶିବିରରେ ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ । ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା କ୍ଷ ସରସ୍ୱତୀପୁର ପଞ୍ଚାୟତର ବିଜେଡି ସଭାପତି ସୁଦର୍ଶନ ସ୍ୱାଇଁ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଉକ୍ତ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ସାମିଲ ହୋଇଥିବା ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ କାଳୁବାବୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଭ୍ୟଙ୍କୁ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଆୟୋଜିତ ସଭାରେ ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଜନସାଧାରଣ ଯୋଗ ଦେଇଥିଲେ । ନୂତନ ସଭ୍ୟଙ୍କ ଯୋଗଦାନ ଦଳକୁ ମଜଭୁତ କରିବା ସହ ଆଗାମୀ ଉପନିର୍ବାଚନରେ ପିପିଲିରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ ବୋଲି ମଞ୍ଚସ୍ଥ ନେତାମାନେ ପ୍ରତିକ୍ରିୟା ରଖିଥିଲେ ।