ନିରାଡମ୍ବରରେ ପାଳିତ ହେଲା ଐତିହାସିକ ବଳଦଯାତ୍ରା

(କଳ୍ପତରୁ ଜେନା / ଭୁବନ): ଢେଙ୍କାନାଳ ଜିଲ୍ଲା ଭୁବନର ଐତିହାସିକ ବଳଦଯାତ୍ରା। ଶତାଧିକ ବର୍ଷ ତଳର ଏହି ପାରମ୍ପରିକ ଯାତ୍ରା ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଲା। ୫୦ ବଳଦ ପରିବର୍ତେ ମାତ୍ର ୨ଟିକୁ ମିଳିଲା ଅନୁମତି। ନିୟମ ମାନି ଅନୁଷ୍ଠିତ ହେଲା ଯାତ୍ରା ।

ପାର୍ବଣରେ ଚଳଞ୍ଚଚଳ ହୋଇଉଠେ ଗାଁଠୁ ସହର। କିନ୍ତୁ ଏଥର କରୋନା କଟକଣା ପାଇଁ ସବୁ କିଛି ଫିକା। ଢେଙ୍କାନାଳ ଜିଲ୍ଲା ଭୁବନରେ ପ୍ରତିବର୍ଷ ବିଜୟା ଦଶମୀ ଓ ଏକାଦଶୀରେ ଅନୁଷ୍ଠିତ ହୁଏ ପାରମ୍ପାରିକ ବଳଦ ଯାତ୍ରା। ପ୍ରାୟ ୫୦ଟି ବଳଦକୁ ସୁସଜ୍ଜିତ କରି ପାରମ୍ପାରିକ ଓ ଆଧୁନିକ ବାଦ୍ୟ ସହ ଲାଇଟ୍ ରୋଷଣିରେ ଶୋଭାଯାତ୍ରା କରାଯାଏ। ଆଉ ଏହାକୁ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ଏଥର କରୋନା କଟକଣା ପାଇଁ ଜିଲ୍ଲା ପ୍ରସାଶନ ମାତ୍ର ୨ଟି ବଳଦକୁ ଯାତ୍ରା ପାଇଁ ଅନୁମତି ଦେଇଥିଲା। ନା ଥିଲା ଲୋକଙ୍କ ଗହଳି ନା ଥିଲା ପୂର୍ବଭଳି ଖୁସି ।

ଏହିଯାତ୍ରା ଶତାଧିକ ବର୍ଷ ତଳର। ଇତିହାସରୁ ଜଣାଯାଏ ଭୁବନରେ ଶତାଧିକ ଥୋରିଆ ସମ୍ପ୍ରଦାୟର ଲୋକ ବାସ କରନ୍ତି। ପୂର୍ବରୁ ଯେତେବେଳେକି ଯାନବାହନ ପ୍ରଚଳନ ନଥିଲା ଏମାନେ ବଳଦ ପିଠିରେ ଜିନିଷ ନେଇ ବାହାର ରାଜ୍ୟରେ ବଣିଜ କରୁଥିଲେ। ଦଶହରା ସମୟରେ ଗାଁକୁ ଫେରୁଥିଲ । ସେହି ସମୟରେ ବଳଦକୁ ପୂଜାର୍ଚନା କରି ପରେ ଶୋଭାଯାତ୍ରା କରିବା ପରେ ଭୁବନର ଆରାଧ୍ୟ ଦେବୀ ମା ବଣିଜାରୀଙ୍କ ବେଢା ପରିକ୍ରମା କରାଯାଏ। ପରେ ସ୍ବତନ୍ତ୍ର ପଣା ଓ ଭୋଗ ଦେବା ପରେ ପୁଣି ବଣିଜ କରିବାକୁ ଫେରୁଥିଲେ। ଆଜି ଆଉ ସେ ବଳଦ ପିଠିରେ ବଣିଜ ନାହିଁ, କିନ୍ତୁ ଭୁବନ ବାସୀ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
କରୋନା କଟକଣା ପାଇଁ ଏଥର ପାରମ୍ପାରିକ ବଳଦ ଯାତ୍ରା ଫିକା ପଡିଲା। ଆଉ ଅପେକ୍ଷା କରିଛନ୍ତି ଆଗାମୀ ବର୍ଷକୁ।