ଆସ ବୁଲି ଯିବା ଐତିହ୍ୟ ଶକ୍ତି ପୀଠ ମା’ ରାମଚଣ୍ଡି

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ପ୍ରକୃତିର ଅପୁର୍ବ ସୌନ୍ଦର୍ୟ୍ୟ ମନରୋମ ପାହାଡର ସମ୍ଭାର । ତା ସହ ଦୈବୀ ପୀଠର ଅପୁର୍ବ ଆକର୍ଷଣ । ପାହାଡ, ନଦୀ ଓ ସମୁଦ୍ର ମଧ୍ୟରେ ଘେରି ରହିଥିବା ସମ୍ଭାର ଭିତରେ ସୁନେଲି ସୁର୍ୟ୍ୟ କିରଣର ଆଖି ଝଲସା ଦୃଶ୍ୟ । ସେପଟେ ଭକ୍ତିମୟ ପରିବେଶ ଭିତରେ ଲୀନ ହୁଅନ୍ତି ପର୍ୟ୍ୟଟକ । ପର୍ବତ ଶିଖରରେ ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ ଲାଗି କାହିଁ କେଉଁ ଦୁର ଦୁରାନ୍ତରୁ ନିଜର ମନସ୍କାମନା ନେଇ ଆସିଥାନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଭକ୍ତଙ୍କ ମନସ୍କାମନା ମା ପୁରଣ କରଥାନ୍ତି । ଏଠାକୁ ଆସୁଥିବା ପର୍ୟ୍ୟଟକଙ୍କ ମତରେ ଏପରି ପୀଠ ସତରେ ଅନନ୍ୟ । ଐତିହ୍ୟ ଓ ତାର ସ୍ୱତନ୍ତ୍ରତାର ପରିଚୟ ସୃଷ୍ଟି କରୁଛି ଗଞ୍ଜାମ ଜିଲ୍ଲାର ପୁଣ୍ୟତୋୟା ଋଷୁକୁଲ୍ୟା ତଟବର୍ତ୍ତିରେ ପୁଜା ପାଉଥିବା ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡି ।

ଶ୍ରୀ ଶ୍ରୀ ମା ରାମଚଣ୍ଡି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ । ପ୍ରକୃତି କୋଳରେ ଶୋଭା ମଣ୍ଡନ କରୁଥିବା ପୁଣ୍ୟତୋୟା ଋଷୁକୁଲ୍ୟା ତଟରେ ପାହାଡ ଶିଖିରରେ ମା ରାମଚଣ୍ଡି ପୀଠ ଅବସ୍ଥିତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରୁ ମାଚ୍ର ଆଠ କିଲୋମିଟର ଦୁର ରେ କରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏହି ମହାମାୟିଙ୍କ ଶକ୍ତି ପୀଠ ଅବସ୍ଥିତ । କିମ୍ବଦନ୍ତୀ ଅନୁସାରେ , ଇଷ୍ଟ ଦେବୀ ତଥା ଶକ୍ତି ପୀଠ ବୈଷ୍ଣୋ ଦେବୀ ପରେ ସମଗ୍ର ଭାରତ ବର୍ଷରେ । ଏଠାରେ ହିଁ ସପ୍ତସତି ଚଣ୍ଡିରେ ତ୍ରୀ ସତୀ ମହାକାଳୀ , ମହା ସରସ୍ୱତୀ ଏବଂ ମହାଲକ୍ଷ୍ମୀ ଆରଧନା ବର୍ଣ୍ଣିତ ରହିଛି । ପ୍ରଚୀନ କାଳରୁ ପଥରର ମୁର୍ତ୍ତି ରେ ତ୍ରୀଶକ୍ତି ବିରାଜମାନ ହୋଇ ପୁଜା ପାଉଛନ୍ତି ମା ରାମଚଣ୍ଡି । ଏହି ଶକ୍ତି ପୀଠକୁ ନେଇ ଅନେକ ରୋଚକ ପୁର୍ଣ୍ଣ ଲୋକକଥା ରହିଛି । କୁହାଯାଏ , ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ସମୟରେ ବିଭିନ୍ନ ପ୍ରାନ୍ତରେ ଶକ୍ତି ପୀଠ ଓ ଶୈବ ପୀଠରେ ଉପାସନା କରିବା ସହ ବିଭିନ୍ନ ପ୍ରତିମୁର୍ତ୍ତି ସ୍ଥାପନା କରିଥିଲେ । ସେଥିରୁ ଏହି ଶକ୍ତି ପୀଠ ଅନ୍ୟତମ । ପ୍ରଭୁ ରାମଚନ୍ଦ୍ର ଦଣ୍ଡକାରଣ୍ୟକୁ ଯିବା ସମୟରେ ଋଷୁକୁଲ୍ୟା ନଦୀ କୁଳ ଦେଇ ଯାଇଥିବା କୁହାଯାଏ । ଯାଉଥିବା ବାଟରେ ସେ ଦେବୀ ଓ ଶିବଙ୍କୁ ପୁଜା କରିଥିଲେ । ଆଉ ପ୍ରଭୁ ରାମଚନ୍ଦ୍ର ଏହି ପର୍ବତରେ ମଧ୍ୟ ଶକ୍ତି ପୀଠ ଓ ଶୈବ ପୀଠ ସ୍ଥାପନା କରିଥିବା କୁହାଯାଏ । ଏହା ସହ ମନ୍ଦିରର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରୁଥିବା ବିରାଟ କୁଣ୍ଡ ଦେଖିବାକୁ ମିଳିଛି । କୁହାଯାଏ , ଏହି ପୀଠରେ ଥିବା ବିରାଟ କୁଣ୍ଡରେ ମାତା ସୀତା ସ୍ନାନ କରୁଥିବା ଦୃଶ୍ୟ ଏବେ ମଧ୍ୟ ରହିଛି ।

ଇତିହାସ ପୃଷ୍ଠାରୁ ବାରି ହେଉଛି ଯେ , ୧୯୪୨ ମସିହାରେ ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମର ଜମିଦାର ସ୍ୱର୍ଗତ ନିତ୍ୟାନନ୍ଦ ପଣ୍ଡା ଏହି ପାହାଡ ଶିଖରରେ ମନ୍ଦିର ଗଢିଥିଲେ । ବେଢା ଯଜ୍ଞ କରି ଦିବା ରାତ୍ର ପୁଜା ଆରମ୍ଭ କରିଥିଲେ । ଆଉ ଏଠାରେ ଛତ୍ରଘର ନିର୍ମାଣ କରି ମାଙ୍କ ପାଇଁ କିଛି ଜମି ଦାନ ଖଞ୍ଜି ନିତ୍ୟ ଭୋଗରାଗ କରିଥିଲେ । ଶାରଦୀୟ ନବରାତ୍ର ପୁଜା ଏବଂ ବିଭିନ୍ନ ପର୍ବପର୍ବାଣୀରେ ପୁଜା କର୍ମ କରାଇଥିଲେ । ଆଉ ଧିରେ ଧିରେ ଏହି ପୀଠ ଗଞ୍ଜାମ ଜିଲ୍ଲାରେ ବେଶ ପ୍ରସିଦ୍ଧି ଲାଭ କଲା । କାଳକ୍ରମେ , ସମଗ୍ର ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ଭକ୍ତମାନେ ଏହି ଶକ୍ତିପୀଠକୁ ମାଙ୍କ ଆଶିଷ , କୃପା ଲାଭ ପାଇଁ ଛୁଟି ଆସବାରେ ଲାଗିଲେ । ଜମିଦାର ନିତ୍ୟାନନ୍ଦ ପଣ୍ଡାଙ୍କ ପରଲୋକ ପରେ ତାଙ୍କ ପରିବାର ମଧ୍ୟ ବର୍ତ୍ତମାନ ପୀଠର ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ଏହି ମନ୍ଦିରଟି ୧୦୦ ବର୍ଷର ପୁରାତନ ମନ୍ଦିର ହୋଇଥିବାବେଳେ ଏଠାରେ ପ୍ରତ୍ୟେହ ରିତୀନିତୀ ଅନୁଯାୟୀ ମାଙ୍କର ପୁଜାର୍ଚ୍ଚନା କରାଯାଇଥାଏ । ସକାଳେ ମାଙ୍କ ମାର୍ଜନା ସହ ସକାଳ ଆଳତୀ ସମ୍ପନ ହୁଏ । ପରେ ମାଙ୍କ ବାଳ ଭୋଗ କରାଯାଇଥାଏ । ଏହା ପରେ ମାଙ୍କୁ ମଧ୍ୟାହ୍ନରେ ଅନ୍ନଭୋଗ ହେଉଥିବାବେଳେ ସଂନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ କରାଯାଇଥାଏ । ଏଠାରେ ମାଙ୍କୁ ଆମିଷ ଭୋଗ ଲାଗି ହେଉଥିବା ପ୍ରଥା ରହିଛି । ମାନସିକଧାରୀମାନେ ଏଠାରେ ମୁଣ୍ଡନ ମଧ୍ୟ କରିଥାନ୍ତି । ତେବେ ମାଙ୍କୁ ବଳି ଦିଆଯାଉଥିବା ଦେଖିବାକୁ ମିଳିଛି । ମନ୍ଦିର ଚତୁଃପାଶ୍ୱର୍ରେ ରାମେଶ୍ୱରଙ୍କ ସମେତ ବିଭିନ୍ନ ପାଶ୍ୱର୍ ଦେବାଦେବୀ ପୁଜା ପାଉଛନ୍ତି ।

୨୦୦୦ ମସିହା ରେ ତତ୍କାଳିନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଏଠାରେ ପାନୀୟ ଜଳର ବ୍ୟବସ୍ଥା କରିଥିଲେ । କିନ୍ତୁ ପରେ ରକ୍ଷଣା ବେକ୍ଷଣା ଅଭକ୍ଷବରୁ ଏହି ଶକ୍ତି ପୀଠ ପରିବେଶର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ମନ୍ଦିର ଶିଖରକୁ ଯିବା ଲାଗି ପକ୍କା ସଡକଟିଏ ବି ତିଆରି ହୋଇ ପାରି ନଥିଲା । ତେବେ ବର୍ତ୍ତମାନ ମନ୍ଦିରର ଭୌଗଳିକ ଚିତ୍ରରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ମନ୍ଦିରକୁ ଯିବା ରାସ୍ତାର ଉନ୍ନତିକରଣ ପାଇଁ ପିଡବ୍ଲ୍ୟୁଡି ପକ୍ଷରୁ ଅଢେଇ କୋଟି ଟଙ୍କାର ପ୍ରକଳ୍ପ କାର୍ୟ୍ୟ ଚାଲୁ ରହିଥିବା କହିଛନ୍ତି ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ । ସେପଟେ ମନ୍ଦିରର ସୌନ୍ଦର୍ୟ୍ୟୀକରଣ ସମେତ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ସେଲଫି ପଏଣ୍ଟ , ଗାର୍ଡ ୱେଲ , ପାର୍କ ଆଦି ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । କିନ୍ତୁ ବର୍ତ୍ତମାନ ମନ୍ଦିରକୁ ଯିବା ରାସ୍ତା ପାଶ୍ୱର୍ର ଆଲୋକୀକରଣ , ପର୍ୟ୍ୟଟକଙ୍କ ସୁରକ୍ଷା ନିମନ୍ତେ ଅସ୍ଥାୟୀ ଫାଣ୍ଡି ଓ ଶୌଚାଳୟ ନିର୍ମାଣ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ପୁର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଐତିହାସିକ ସ୍ଥଳର ବିକାଶକୁ ନେଇ କମିଟି ପକ୍ଷରୁ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାବତ କୌଣସି ସନ୍ତୋଷ ଜନକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସରକାର ତଥା ପର୍ୟ୍ୟଟନ ବିଭାଗ ଏହି ମନ୍ଦିର ଉପରେ ଦୃଷ୍ଟି ଆକର୍ଷଣ କଲେ ରାଜ୍ୟ ପର୍ୟ୍ୟଟନ ମାନଚିତ୍ରରେ ଏହି ଐତିହାସିକ ମନ୍ଦିରଟି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତା ।