(ରିପୋଟର୍ସ ଟୁଡେ): ବିଜେଡି ଯୁବ କମିଟି ଘୋଷଣା ପରେ ଦଳରେ ଉଠିଛି କମ୍ପନ । ଗତକାଲି ପ୍ରକାଶ ପାଇଥିବା ରାଜ୍ୟ ସହିତ ବିଭିନ୍ନ ଜିଲ୍ଲାର ବିଜୁ ଜନତା ଦଳର ଯୁବ ବିଭାଗ ପଦବୀକୁ ନେଇ ଚାଲିଛି ହଟଚମଟ । ଘୋଷଣାକୁ ୨୪ ଘଣ୍ଟା ନପୁରୁଣୁ ନେତାଙ୍କ ମଧ୍ୟରେ ଦେଖାଦେଇଛି ଘୋର ଅସନ୍ତୋଷ । ଅଭିଯୋଗ ଆସିଛି କି ଯୁବ ବିଭାଗ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ସମ୍ପାଦକ ଅମରେଶ ପତ୍ରିଙ୍କ ନିକଟତର ଥିବା ପିଲାଙ୍କୁ ମିଳିଛି ଯୁବ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀ । କିନ୍ତୁ ପୂର୍ବରୁ ବିଭିନ୍ନ ପଦବୀରେ ରହି ଆସୁଥିବା ଯୁବ ଛାତ୍ର କର୍ମୀମାନେ ଲିଷ୍ଟର ତଳକୁ ଖସି ଯାଇଥିବା ବେଳେ ନୂଆ ନୂଆ ଦଳକୁ ଆସି ବଡବଡ ନେତାଙ୍କୁ ତେଲ ମାରୁଥିବା ପିଲାଙ୍କୁ ଦିଆଯାଇଛି ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ । ଏହି କଥାରେ ଅସୋନ୍ତଷ ବ୍ୟକ୍ତ କରି ବିଜୁ ଛାତ୍ର ଜନତା ଦଳର ସଭାପତି ରାଣାପ୍ରତାପ ପାତ୍ର ଦଳ ଛାଡିବେ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏପରିକି ସେ ଦଳ ଛାଡି ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏକ ବିଶେଷ ସୁତ୍ରରୁ ପ୍ରକାଶ ଯେ ରାଣାଙ୍କ ନାଁରେ ଟଙ୍କା ହେରଫେର କରିବା ଭଳି ଅନେକ ସଂଗିନ ଅଭିଯୋଗ ହେଉଥିବା ବେଳେ ଦଳର କିଛି ବରିଷ୍ଠ ନେତା ତାଙ୍କର ଏହି କାର୍ଯ୍ୟକୁ ନେଇ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ଯୁବ କମିଟି ଘୋଷଣାରେ ତାଙ୍କୁ ତଳକୁ ରଖାଯାଇଥାପରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଦେଖିବାକୁ ବାକି ରହିଲା ଏହାପରେ ରାଣାଙ୍କର ଆଗମୀ ପଦକ୍ଷେପ କଣ ରହିବ । ସେ ଦଳରେ ରହି ଆଜ୍ଞାଧିନ କର୍ମୀ ଭଳି କାମ କରିବେ ନା ଶଙ୍ଖ ଛାଡି ପଦ୍ମ ଧରିବେ ।