(ଦୀପକ ମିଶ୍ର/ଉଦଳା): ପୁଅ ବଡ ହେଲେ ରୋଜଗାର କରିବ ଓ ବୁଢା ବୟସରେ ସାହା ହେବ ବୋଲି ପ୍ରତ୍ୟେକ ବାପା ମାଆଙ୍କ ସ୍ୱପ୍ନ ଥାଏ । ହେଲେ ଭାଗ୍ୟର ବିଡମ୍ବନା ଯେ, ନିଜ ରୋଜଗାରିଆ ପୁଅର ମୃତ୍ୟୁ ପରେ ତା ମଲା ମୁହଁକୁ ଟିକେ ଦେଖି ପାରିଲେନି ପରିବାର ଲୋକେ । ଏଭଳି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ଜିବିନଗର ବ୍ଲକ ଆରପଟା ଗାଁରେ ଦେଖିବାକୁ ମିଳିଛି । ଗାଁର କୁଳମଣି ଦଣ୍ଡପାଟଙ୍କ ବଡ ପୁଅ ରାମଚନ୍ଦ୍ର ଦୀର୍ଘ ୬ ବର୍ଷ ଧରି ତାମିଲନାଡୁର ଏକ କମ୍ପାନୀରେ ଚାକିରୀ କରୁଥିଲେ । ପରେ ରୋଜଗାରିଆ ପୁଅର ବିବାହ କରିଥିଲେ ବାପା । ତେବେ ବାହାଘରର ୪ ମାସ ପରେ ରାମଚନ୍ଦ୍ର ପୁଣି କାମ କରିବାକୁ ତାମିଲନାଡୁ ଫେରି ଯାଇଥିଲେ । ତେବେ ଅଗଷ୍ଟ ୧୫ ତାରିଖରେ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକଙ୍କ ଗୋଡ ତଳୁ ଯେପରି ମାଟି ଖସି ଯାଇଥିଲା । ପୁଅକୁ ନେଇ ଯେତେ ସବୁ ସ୍ୱପ୍ନ ଦେଖିଥିଲେ ସବୁ ଛାରଖାର ହୋଇଥିଲା । ତାମିଲନାଡୁର ଏକ ସରକାରୀ ମେଡିକାଲରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅର୍ଥ ଅଭାବରୁ ମୃତଦେହକୁ ଆଣି ପାରିନଥିଲେ ପରିବାର ଲୋକେ । ଏବେ ପୁଅର ମୁହଁକୁ ମନେ ପକାଇ ମାଆ ବାରମ୍ବାର ମୁର୍ଚ୍ଛା ହୋଇପଡୁଛି । ସାରା ଜୀବନର ସାଥୀ ହୋଇଥିବା ସ୍ତ୍ରୀ ଏବେ ସ୍ୱାମୀର ମୃତ୍ୟୁ ଖବର ଶୁଣି ମୁକ ପାଲଟି ଯାଇଛି । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ ପରିବାର ଲୋକଙ୍କୁ ଚଳିବା ପାଇଁ ସରକାର ଘର ଖଣ୍ଡେ ଯୋଗାଇ ଦିଅନ୍ତୁ ବୋଲି ମୃତ ରାମଚନ୍ଦ୍ରଙ୍କ ବଡବାପା କହିଛନ୍ତି । ସେହିପରି ଗାଁର ଯୁବକ ନିଜ ମାଟିକୁ ନ ଫେରିବାରୁ ଆରପଟା ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି ।