(ଦିଲ୍ଲୀପ ସାହୁ/ଜଗତସିଂପୁର): ଠାକୁରଙ୍କ ଜମିକୁ ଅକ୍ତିଆର କରିଥିବା ଦର୍ଶାଇ ଗ୍ରାମବାସୀମାନେ ଗାଁର ଜଣେ ଭଦ୍ରଲୋକ ଲୋକନାଥ ସାହୁ ଓ ତାଙ୍କ ପରିବାରକୁୁ ନିଆଁ ପାଣି ବାଚ୍ଛନ୍ଦ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲୋ ପଞ୍ଚାୟତର ପୋସଲ ଗାଁରେ ଦେଖିବାକୁ ମିଳିଛି । ଗାଁର ଅଧିକାଂଶ ଲୋକ ଗୋପାଳ ସମ୍ପ୍ରଦାୟର ହୋଇଥିବା ବେଳେ ଲୋକନାଥ ସାହୁ ଓ ତାଙ୍କ ଭାଇ ରବି ନାରାୟଣ ସାହୁ ଦୀର୍ଘ ୪୦ ବର୍ଷ ଧରି ଗାଁର ମୂରବୀ ରହିଆସିଥିଲେ । ତେବେ ଏହି ସମୟରେ ସେ ଗାଁର ଅଳ୍ପଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଇ ଗାଁ ଠାକୁରଙ୍କ ଜମି, ଯୁବକ ସଂଘ ଜମି ଓ ଅନ୍ୟ କେତେକ ଜମିକୁ ଚଞ୍ଚକତା କରି ନିଜ ନାମରେ କରି ନେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୁଣି ଗାଁର କେତେକ କେଳା ସମ୍ପ୍ରଦାୟର ଲୋକଙ୍କୁ ଧରି ସେ ସ୍ଥାନୀୟ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିବାରୁ ଏପରି କାମ କରିବାକୁ ଗାଁ ଲୋକେ ପୂର୍ବରୁ ବାରଣ କରିଥିବା କହିଛନ୍ତି । ତେବେ ଗାଁ କମିଟିରୁ ତାଙ୍କ ମୂରବୀତ୍ୱ ଯିବା ପରେ ଜମି ବାବଦରେ ତାଙ୍କୁ ହିସାବ ମଗାଯିବାରୁ ଲୋକନାଥ ଧରାଛୁଆଁ ଦେଇ ନଥିଲେ । ଶେଷରେ ଏକ କଙ୍ଗାରୁ କୋର୍ଟରେ ମାମଲାର ଫଇସଲା ହୋଇଥିଲା । ଗାଁ ଠାକୁରଙ୍କ ଜମି ହଡପ ଅଭିଯୋଗ ଆଣି ଗ୍ରାମବାସୀମାନେ ତାଙ୍କ ପରିବାରକୁ ଗାଁରୁ ବାଚ୍ଛନ୍ଦ କରିଥିବା ଲୋକନାଥ କହିଛନ୍ତି । ଏଭଳି ଅବସ୍ଥାରେ ଦୀର୍ଘ ଦେଢ ବର୍ଷ ବିତି ଯାଇଛି । ଏଥିପାଇଁ ସେ ଜିଲ୍ଲା ତଥା ପୋଲିସ ପ୍ରଶାସନ ଓ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଗାଁରୁ ବାଚ୍ଛନ୍ଦ ହୋଇଥିବାରୁ ତାଙ୍କ ପରିବାରକୁ ସମସ୍ତ ଶୁଭ ଅଶୁଭ କାର୍ଯ୍ୟରେ ସାମିଲ ହେବାକୁ ବାରଣ କରାଯାଇଛି । ସଉଦା ଓ ପନିପରିବା କିଣିବା ପାଇଁ ତାଙ୍କୁ ଗାଁ ଠାରୁ ୮ କିଲୋମିଟର ଯିବାକୁ ପଡିଥାଏ । ଏପରିକି ଗାଁର କୌଣସି ଲୋକ ତାଙ୍କ ପରିବାର ସହ କଥା ହେଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ ବୋଲି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଅ।।ଯାଇଛି । ତେବେ ଲୋକନାଥଙ୍କୁ ସାମାଜିକ ବାସନ୍ଦ କରାଯିବା ନେଇ ପୋସଲ ଗ୍ରାମବାସୀ ଭିନ୍ନ ମତ ରଖିଛନ୍ତି । ଠାକୁର ସମ୍ପତ୍ତି ବିବାଦର ସମାଧାନ ପାଇଁ ଗାଁରେ କଙ୍ଗାରୁ କୋର୍ଟ ବସିଥିବା ବେଳେ ଲୋକନାଥ ଏହାର ହିସାବ ଦେଇ ନପାରି ସଭାରୁ ଉଠି ଚାଲି ଯାଇଥିଲେ । ଏଭଳିକି ଗାଁ ଲୋକଙ୍କୁ ସେ କୋର୍ଟ କଚେରୀ ଧମକ ଦେଖାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ବିବାଦର ସମାଧାନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ଠାରେ ଗାଁ ଲୋକେ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି । ଏହି ଅଞ୍ଚଳର ସମସ୍ୟାଗୁଡିକୁ ଗାଁ ଲୋକେ ପଞ୍ଚାୟତକୁ ନ ଜଣାଇ ପ୍ରଜା କୋର୍ଟ ଜରିଆରେ ସମାଧାନ କରିଥାନ୍ତି । ତେଣୁ ଉକ୍ତ ଘଟଣା ବାବଦରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଉଚିତ୍ ବୋଲି ଦାଇଁଲୋ ସରପଞ୍ଚ କହିଛନ୍ତି । ଅନ୍ୟପଟେ ସାମାଜିକ ବାସନ୍ଦ ଘଟଣାକୁ ନେଇ କୌଣସି ମତ ଦେଇପାରିବେ ନାହିଁ ବୋଲି ତିର୍ତ୍ତୋଳ ଏସଡିପିଓ ଦୀପକ ରଞ୍ଜନ ଜେନା କହିଛନ୍ତି ।