(ଗୋଲାପ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ କର୍ଳାକୋଟ ଗାଁର ୧୪ ବର୍ଷିୟ ବାଳକ ନବୀନ ନାଏକ ଏବେ ନିଃସଙ୍ଗ ଜୀବନ କାଟୁଛି । ମା ରୁକ୍ମଣୀ ଓ ବାପା ଡମ୍ଭରୁଧର ନାଏକ କେବେଠୁ ତାକୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ସେବେଠାରୁ ସ୍ୱାଭିମାନର ସହ ଏତେବଡ ଦୁନିଆରେ ଏକାକୀ ବଞ୍ଚିବାକୁ ନବୀନ ସଂଘର୍ଷ କରି ଆସୁଛି । ଲୋକଙ୍କ ଦୟାରେ ନବୀନ ଅଷ୍ଟମ ଶ୍ରେଣୀ ଯାଏ କୌଣସି ପ୍ରକାରେ ପଢିବା ପରେ ଏବେ ସହଯୋଗ ନ ମିଳିବାରୁ ପାଠପଢାରେ ଡୋରି ବନ୍ଧା ହୋଇଛି । ଏବେ ପର ଘରେ କାମ କରି ସେ ପେଟ ପାଇଁ ଗଣ୍ଡେ ଦାନା ଯୋଗାଡ କରୁଥିବା ବେଳେ ପାଠ ପଢିବାର ଆଶା ସ୍ୱପ୍ନ ପାଲଟିଛି । ତେବେ ସରକାରୀ ସହାୟତା ବାବଦ ଚାଉଳ ମିଳିଲେ ବଞ୍ଚିବା ଟିକେ ସହଜ ହୁଅନ୍ତା ବୋଲି ନବୀନ କହିଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ସମାନ ମତ ଦେଇଛନ୍ତି । ତେବେ ସରକାର ବା କେହି ବଦାନ୍ୟ ବ୍ୟକ୍ତି କେବେ ଏହି ଅସହାୟ ବାଳକ ପ୍ରତି ସହଯୋଗର ହାତ ବଢାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।