ରିପୋଟର୍ସ ଟୁଡେ ବ୍ୟୁରୋ: ଦୁର୍ଘଟଣା ଦେଖିବା ବେଳେ ଘଟିଲା ଦୁର୍ଘଟଣା । ଗୁଜରାଟ ଅହମଦାବାଦରେ ହିଟ୍ ଆଣ୍ଡ ରନ ଘଟଣାରେ ଏକ ମାମଲା ସାମ୍ନାକୁ ଆସିଛି । ସରଖେଜ-ଗାନ୍ଧୀନଗର ଜାତୀୟ ରାଜପଥରେ ଥିବା ଇସ୍କନ ଫ୍ଲାଏଓଭରରେ ଘଟିଥିବା ଏକ ଦୁର୍ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ଏକ ଜାଗୁଆର ଗାଡି ଆସି ଭିଡ଼ ଉପରେ ଚଢ଼ିଯିବା ଫଳରେ ଘଟଣା ସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ୧୨ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ୯ଜଣଙ୍କୁ ମୃତ ଘୋଷିତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଓ ହୋମଗର୍ଡ ଥିବା ଜଣାପଡିଛି । ଇସ୍କନ ଫ୍ଲାଏଓଭରରେ ଥାର ଓ ଡମ୍ପର ଭିତରେ ଦୁର୍ଘଟଣା ଘଟିଥିଲା । ଯେଉଁଥିପାଇଁ ହୋମଗାର୍ଡ ଓ କନଷ୍ଟେବଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଆହତମାନଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ସମୟରେ ଅତି ଦୃତ ଗତିରେ ଜାଗୁଆର ଗାଡିଟି ଅସି ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଦୁଇ ଦୁଇଟି ବଡ଼ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ଇସ୍କନ ଫ୍ଲାଏଓଭରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।