ବୋକାରୋ: ଝାଡ଼ଖଣ୍ଡର ବୋକାରୋରେ ଆୟୋଜିତ ମହରମ୍ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି ।ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର ଦୂର ପେତାରୱାର୍ ଥାନା ଅନ୍ତର୍ଗତ ଖେତ୍କୋ ଗ୍ରାମରେ ସକାଳ ୬ଟା ବେଳେ ଉକ୍ତ ଅଘଟଣ ଘଟିଛି। ଶୋଭାଯାତ୍ରାରେ ନିଆଯାଉଥିବା ‘ତାଜିଆ’ ଉପରେ ଟଣାଯାଇଥିବା ୧୧ କେ.ଭି. ହାଇଭୋଲଟେଜ୍ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଉପରୋକ୍ତ ଅଘଟଣ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । କିନ୍ତୁ, ବୋକାରୋ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରିୟଦର୍ଶୀ ଆଲୋକଙ୍କ କହିବା ଅନୁସାରେ ପତାକା ଲାଗିଥିବା ଲୁହା ପାଇପ୍ ବିଜୁଳି ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ଘଟିଥିଲା । ଅଘଟଣ ପରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ବୋକାରୋ ଥର୍ମାଲ୍ ‘ଡିଭିସି’ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ୧୩ଜଣ ଆହତଙ୍କ ମଧ୍ୟରୁ ୯ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଏହି ଅଘଟଣ ପରେ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।