ନୂଆଦିଲ୍ଲୀ : ଶେଷ ହୋଇଛି ଭୋଟ ଗ୍ରହଣ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ପରେ ଏହି ତିନି ରାଜ୍ୟର ବୁଥ ସୋମବାର ସନ୍ଧ୍ୟାରେ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ ଏନଡିଏ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ମାତ୍ର ତ୍ରିପୁରା ଓ ମେଘାଳୟରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବା ନେଇ ସ୍ପଷ୍ଟ ହୋଇପାରି ନାହିଁ। ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଧାନସଭାରେ ଏନଡିଏ ୪୩ଟି ଆସନ ପାଇବ। ସେହିପରି ଏନପିଏଫ ୫, କଂଗ୍ରେସ ୧ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ପାଇବେ। ଟାଇମ୍ସ ନାଓଁ ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ଏନଡିଏ ୪୪ଟି ଆସନ ପାଇବାକୁ ଥିବାବେଳେ ଏନପିଏଫ୍ ୬, କଂଗ୍ରେସ ୦ ଓ ଅନ୍ୟାନ୍ୟ ଦଳ ୯ଟି ଆସନ ପାଇବେ।
ସେହିପରି ମାଟ୍ରିଜ-ଜିନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଏନଡିଏ ଏଠାରେ ୩୯ଟି ଆସନ ପାଇବ। ଏନପିଏଫ୍ ୩, କଂଗ୍ରେସ ୨ ଓ ଅନ୍ୟାନ୍ୟ ଦଳ ୧୫ ଆସନ ପାଇବେ। ବିଜେପି ମେଣ୍ଟ ମ୍ୟାଜିକ୍ ସଂଖ୍ୟା ୩୧ରୁ ଅଧିକ ଆସନ ପାଇବା ନେଇ ସମସ୍ତ ଏଜେନ୍ସି ପୂର୍ବାନୁମାନ କରିଛନ୍ତି । ଏଠାରେ ବିଜେପି ଓ ଏନଡିପିପି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ତ୍ରିପୁରାରେ ବିଜେପି ପୁନର୍ବାର କ୍ଷମତା ଦଖଲ କରିବା ନେଇ କେତେକ ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ମାତ୍ର ଆଉ କେତେକ ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ତ୍ରିପୁରାରେ ଝୁଲା ସରକାର ହେବ। ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୪୦ଟି ଆସନରେ ବିଜୟୀ ହେବ। ଏଠାରେ ଟିଏମପି ୧୨ ଓ ସିପିଏମ୍ ୮ଟି ଆସନ ପାଇବେ। ତେବେ ଟାଇମ୍ସ ନାଓଁର ସର୍ଭେ ଅନୁଯାୟୀ ତ୍ରିପୁରାରେ ବିଜେପି ୨୪ଟି ଆସନ ପାଇବ। ଏଠାରେ ସିପିଏମ୍ ୨୧, ଟିଏମପି ୧୪ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇବେ।