ଭୁମିକମ୍ପରେ ଜେଲର କାନ୍ଥ ଭାଙ୍ଗିବାରୁ ଖସି ପଳାଇଲେ ୨୦୦ କଏଦୀ

କରାଚୀ-: ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଛନ୍ତି । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଏହି ଘଟଣା ପରେ ସମଗ୍ର କରାଚୀର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଜେଲ ନିକଟରେ ପୋଲିସକୁ ଗୁଳି ଚଳାଇବାକୁ ପଡିଲା ଫଳରେ ଜେଲ ପାଖରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ପାକିସ୍ତାନର କରାଚୀରେ ସୋମବାର ରାତିରେ ଭୁମିକମ୍ପ ପରେ ଅରାଜକତା ସୃଷ୍ଟି ହୋଇଛି । ୨୦୦ରୁ ଅଧିକ କଏଦୀ କରାଚୀର ଉଚ୍ଚ ସୁରକ୍ଷା ମାଲିର ଜେଲରୁ ଖସି ପଳାଇଛନ୍ତି । ସେହି ସମୟରେ ପୋଲିସ ଗୁଳି ବିନିମୟ କରିଥିଲା । ଫଳରେ ଅନେକ କଏଦୀ ଆହତ ହୋଇଥିଲେ । ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାକୁ ନେଇ କରାଚୀକୁ ପୁରାପୁରି ହାଇ ଆଲର୍ଟରେ ରଖାଯାଇଛି । ଭୁମିକମ୍ପ ଯୋଗୁଁ ଅନେକ କଏଦୀ ମୁଖ୍ୟ ଫାଟକ ଦେଇ ଖସି ପଳାଇବା ସହିତ ଅସ୍ତ୍ର ଶସ୍ତ୍ର ଜବତ କରି ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିଲେ ।

ତେବେ ମଙ୍ଗଳବାର ସକାଳ ସୁଦ୍ଧା ୭୫ ଜଣ ଫେରାର କଏଦୀଙ୍କୁ ଗିରଫ କରାଯାଇଛି । ସହର ବ୍ୟାପୀ ଚେକପୋଷ୍ଟ ସ୍ଥାପନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେଲ କର୍ତ୍ତୁପକ୍ଷ କହିଛନ୍ତି ଯେ ଖସି ପଳାଇଥିବା କଏଦୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ।