ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମୋତ୍ସବ

ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ବିନ୍ଧାଣୀ, ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ, ତଥା ସର୍ବୋଦୟ ନେତା ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ସମାରୋହ ଆଗାମୀ ନଭେମ୍ବର ୨୩ରୁ ୨୫ ତାରିଖ ଯାଏ ଅନୁଗୋଳ ଠାରେ ମହାସମାରୋହରେ ପାଳିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ଚୌଧୁରୀ ଓଡ଼ିଶାରେ ସର୍ବ ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସ୍ଵାଧୀନତା ସଂଗ୍ରାମ କାଳରେ ଓଡ଼ିଶାକୁ ପ୍ରଥମକରି ଆଳୁ, ଟମାଟୋ, ଫୁଲ କୋବି ତଥା ଆଖୁ ଆଣି କୃଷକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସେହିପରି ରାଜସ୍ୱମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବରେ ଜମି ଅଧିଗ୍ରହଣ ଆଇନ ଠାରୁ ଆରମ୍ଭ କରି ନିଶାନିବାରଣ, ଓଡ଼ିଆ ଭାଷା, ଅଞ୍ଚଳ ଶାସନ ଆଇନ ଓ ଜମିଦାରୀ ଉଚ୍ଛେଦ ଆଇନ ପ୍ରଣୟନ କରିଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ହୀରାକୁଦ ଡ୍ୟାମ, କୃଷି ଓ ପଶୁପାଳନ ମହାବିଦ୍ୟାଳୟ ଭଳି ଅନେକ ବିକାଶ ମୁଖୀ ପ୍ରକଳ୍ପ ନିର୍ମାଣ ହୋଇଥିଲା। ପରବର୍ତ୍ତୀ କାଳରେ କ୍ଷମତାକୁ ପାଦରେ ଆଡ଼େଇ ଦେଇ ସାଧାରଣ ମଣିଷ ଭଳି ଜୀବନ ଜିଇଁଥିବା ନବକୃଷ୍ଣ ଜୀବନ ବିଦ୍ୟାଳୟ ଓ ବାଜି ରାଉତ ଛାତ୍ରାବାସ ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସହ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।ନବକୃଷ୍ଣଙ୍କ ସ୍ମୃତିରେ ଅନୁଗୁଳଠାରେ ନଭେମ୍ବର ୨୩ ସକାଳୁ ଚମ୍ପତିମୁଣ୍ଡାରୁ ବାଜି ରାଉତ ଛାତ୍ରାବାସ ଯାଏ ପ୍ରଣାମ ନବକୃଷ୍ଣ ବାହନ ଯାତ୍ରା ଅନୁଷ୍ଠିତ ହେବ। ମଧ୍ୟାହ୍ନରେ ଆସ ଭେଟିବା ନବକୃଷ୍ଣଙ୍କୁ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହେବ। ଅପରାହ୍ନ ୩ ଘଟିକା ସମୟରେ ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା ପ୍ରଦାନ କରିବାକୁ ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର କୁମାର ପ୍ରଶାନ୍ତ ଆସିବେ। ଏହି ଉତ୍ସବରେ ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତାର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହି ଅବସରରେ ରେଡ଼ିଓ ସର୍ବୋଦୟର ସଭାପତି ଡ ଧରଣୀଧର ନାଥଙ୍କ ଦ୍ଵାରା ଲିଖିତ ପୁସ୍ତକ ନବକୃଷ୍ଣ ଚୌଧୁରୀ: ପଲିଟିକ୍ସ ଆଣ୍ଡ ପରସାନାଲିଟି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବ।ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ଆୟୋଜିତ ହେବ। ୨୪ ନଭେମ୍ବର ଦିବା ୮ ଘଟିକା ସମୟରେ ଅନୁଗୁଳ ଷ୍ଟାଡିୟମ ପରିସରରେ ନବକୃଷ୍ଣ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ ଘଟିକା ସମୟରେ ବାଜି ରାଉତ ଛାତ୍ରାବାସ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।୨୫ ନଭେମ୍ବର ଦିବା ୧୦ ଘଟିକା ସମୟରେ ଅନୁଗୁଳ ଜିଲ୍ଲାର ଚାଷୀ ମାନଙ୍କ ଦ୍ୱାରା ଜୈବିକ କୃଷି ପ୍ରଦର୍ଶନୀ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୩ ଘଟିକା ସମୟରେ ଉଦଯାପନୀ ସମାରୋହରେ ଯୋଗଦେବା ନିମନ୍ତେ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଡ ସଂଗ୍ରାମ ଜେନା, ହେତୁବାଦୀ ଲେଖକ ପ୍ରଫେସର ଧନେଶ୍ୱର ସାହୁ  ଓ  ଆମେରିକାରେ ଅବସ୍ଥାପିତ ସ୍ଥପତି ତଥା ନବକୃଷ୍ଣ ଚୌଧୁରୀଙ୍କ ଦ୍ଵାରା ଅନୁପ୍ରାଣିତ ସନ୍ଦୀପ ଦାସବର୍ମା  ଯୋଗଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏଥିସହିତ ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ୨୨ ତାରିଖ ସନ୍ଧ୍ୟାରେ ଜାତୀୟ ସଂହତିରେ ନବକୃଷ୍ଣ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ନବକୃଷ୍ଣଙ୍କ ଜୟନ୍ତୀ ପାଳିତ ହେବ ବୋଲି ନବକୃଷ୍ଣ ଚୌଧୁରୀ ୧୨୫ତମ ଜୟନ୍ତୀ ସମିତିର ଉପଦେଷ୍ଟା କୃଷ୍ଣା ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ସର, ଉପସଭାପତି ବସନ୍ତ କୁମାର ଦାସ ,ଆର୍ଥିକ ପରାମର୍ଶଦାତା ଡକ୍ଟର ପରମାନନ୍ଦ ମିଶ୍ର ,ବାଜି ରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ, ସମ୍ପାଦକ ଇଂଧନେଶ୍ୱର ସାହୁ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଳୋକ ମିଶ୍ର  ପ୍ରମୁଖ ଛାତ୍ରାବାସ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣାଇବା ସହ ଜନସାଧାରଣ ଏହି ତିନି ଦିବସୀୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଜୟନ୍ତୀ ସମିତି ପକ୍ଷରୁ ନିବେଦନ କରାଯାଇଛି।