ଗତ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଜିଏସଟି ପରିମାଣ ଠାରୁ ୧୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ : ଭାରତରେ ୧ ଲକ୍ଷ ୪୯ ହଜାର କୋଟିରୁ ଅଧିକ ଟଙ୍କା ଜିଏସଟି ଫେବୃୟାରୀ ମାସରେ ସଂଗ୍ରହ ହୋଇଛି । ଗତ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଜିଏସଟି ପରିମାଣ ଠାରୁ ୧୨ ପ୍ରତିଶତ ଅଧିକ ଅଛି । ୨୦୨୨ ଫେବୃୟାରୀ ମାସରେ ଜିଏସଟି ରାଜସ୍ୱ ପରିମାଣ ୧ ଲକ୍ଷ ୩୩ ହଜାର କୋଟି ଟଙ୍କାରୁ ଅଧିକ ଥିଲା । ସେହିପରି ଦେଶରେ ଜିଏସ୍ଟି କାର୍ୟ୍ୟକାରୀ ହେବା ପରଠାରୁ ସେସ୍ ଆଦାୟ ପରିମାଣ ଗତ ମାସରେ ୧୧ ହଜାର ୯ ଶହ କୋଟିରୁ ଅଧିକ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୨ ଜୁନ୍ ମାସ ପାଇଁ କେନ୍ଦ୍ର ସରକାର ସମତୁଲ ଜିଏସ୍ଟି କ୍ଷତିପୂରଣ ବାବଦ ୧୬ ହଜାର ୯୮୨ କୋଟି ଟଙ୍କା ମଞ୍ଜୁର କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାସିକ ଜିଏସ୍ଟି ଆଦାୟ ପରିମାଣ କ୍ରମାଗତ ୧୨ ମାସ ଧରି ୧ ଲକ୍ଷ ୪୦ ହଜାର କୋଟିରୁ ଅଧିକ ରହିଛି। ସର୍ବାଧିକ ଜିଏସ୍ଟି ରାଜସ୍ୱ ଆଦାୟ ପରିମାଣ ୨୨ ହଜାର ୩୪୯ କୋଟି ଟଙ୍କା ମହାରାଷ୍ଟ୍ରରୁ ସଂଗ୍ରହ କରାଯାଇଛି। ଏହାପରେ କର୍ଣ୍ଣାଟକରୁ ଜିଏସ୍ଟି ରାଜସ୍ୱ ଆଦାୟ ୧୦ ହଜାର କୋଟିରୁ ଅଧିକ ଥିବା ଜଣାପଡ଼ିଛି।