ଫୁଲବାଣୀରେ ପୋଲିସ ନିକଟରେ ୧୦ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ୧୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଆଜି ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପୋଲିସ ଅଧିକାରୀମାନଙ୍କ ସମ୍ମୁଖରେ ମାଓବାଦୀମାନେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜିପି ସଞ୍ଜୀବ ପଣ୍ଡା, ଆଇଜିପି ନୀତି ଶେଖର, ଦୀପକ କୁମାର ଓ କନ୍ଧମାଳ ଏସପି ହରିଶ ବିଶି ଉପସ୍ଥିତ ଥିଲେ।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଷ୍ଟେଟ୍ କମିଟି ଓ ଡିଭିଜନ କମିଟି ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଡିଭିଜନ କମିଟି ସଦସ୍ୟ ଅନୁପା ଓ ସୁନୀଲ ଥିବା ବେଳେ ଏରିଆ କମିଟି ସଦସ୍ୟ ସୁନୀତା, ଶିଳ୍ପା ପାଟି, ଯମୁନା, ଗଣେଶ କୁଞ୍ଜ, ସୁଶୀଳା ଡୁଡି, ସରିତା କୁମ୍ ଦାମ୍ ଓ ଚୁଡ଼ି ୟୋଗୀ ଓରଫ ରଜନୀ ରହିଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରୀ ପୁନର୍ବାସ ନୀତି ଅନୁଯାୟୀ ସହାୟତା ପ୍ରଦାନ କରାଯିବ।