୮ ବର୍ଷର ନାବାଳକୁ କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ରାଜ୍ୟରେ ଆଉ ୬୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ନାବାଳକ ରହିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୮ ବର୍ଷର ନାବାଳକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତ ନାବାଳକ ଜଣଙ୍କ ଘରୁ ବାହାରକୁ ଯାଇ ନ ଥିଲେ । ହେଲେ ତାଙ୍କୁ କିପରି କୋରୋନା ହେଲା ସେ ନେଇ ଚିନ୍ତାରେ ପ୍ରଶାସନ । ସୂଚନା ଥାଉ କି, ଆଜି ଚିହ୍ନଟ ହୋଇଥିବା ୬୫ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ ଥିଲେ। ଖୋଦ୍ଧାରେ ଆକ୍ରାନ୍ତ ଅନ୍ୟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁରତ ଫେରନ୍ତା ଓ ଅନ୍ୟଜଣେ ନବୀନାବାଗ ଅଞ୍ଚଳର ଓ ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବାଣପୁରର କେଶପୁର ଗାଁ ଓ ଖୋର୍ଦ୍ଧା ପୌରାଞ୍ଚଳକୁ କଣ୍ଟେନ୍‌ମେର୍ଟ ଭାବେ ଘୋଷଣା କରାଯାଇଛି । ଆଜି ଚିହ୍ନଟ ହୋଇଥିବା ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫୬୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୬୬ ଜଣ ସୁସ୍ଥ ହୋଇଛନ୍ତି।