ମେ’ ୨୫ ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ବିମାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି । ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍‌ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି ଜାରି କରିଥିବା ଏସଓପି ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆସନ୍ତା ମେ’ ୨୫ରୁ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ପକ୍ଷରୁ ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଏବଂ ଏଲାଇନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚାଲିବ। ସ୍ପାଇସ ଜେଟର ବିମାନ ପ୍ରତିଦିନ ହାଇଦ୍ରାବାଦରୁ ସକାଳ ୧୦ଟା ୩୫ରୁ ବାହାରି ୧୨ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା ୧୦ରେ ଉଡାଣ ଭରି ସଂଧ୍ୟା ୬ଟା ୫ରେ ହାଇଦ୍ରାବାଦ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ପ୍ରତିଦିନି ଅପରାହ୍ଣ ୧୨ଟା ୪୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୫ରେ କଲିକତାରେ ପହଞ୍ଚିବ । ଅପରାହ୍ଣ ୨ଟାରେ କୋଲକତାରୁ ବିମାନ ବାହାରି ୩ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । କେବଳ ବୁଧବାରକୁ ବାଦ ଦେଲେ ଅନ୍ୟ ସବୁଦିନ ଦିଲ୍ଲୀ ବିମାନ ବନ୍ଦରରୁ ଅପରାହ୍ଣ ୧ଟା ୧୦ରେ ସ୍ପାଇସ ଜେଟର ବିମାନ ଉଡାଣ ଭରି ୨ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଓ ଅପରାହ୍ଣ ୩ଟା ୨୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୩୫ରେ ଦିଲ୍ଲୀ ପହଞ୍ଚିବ । ଅନ୍ୟପଟେ ଏଲାଇନ୍ସ ଏୟାର ର ବିମାନ ସକାଳ ୫ଟା ୫୫ରୁ କଲିକତାରୁ ଉଡ଼ାଣ ଭରି ୭ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । ଝାରସୁଗୁଡାରୁ ୮ଟା୧୦ରେ ଉଡ଼ାଣ ଭରି ୯ଟା୧୫ରେ ଭୁବନେଶ୍ୱର ପହଞ୍ଚିବ । ଭୁବନେଶ୍ୱରରୁ ପୁଣି ୯ଟା୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଅପରାହ୍ଣ ୧ଟାରେ କଲିକତା ପହଞ୍ଚିବ ।