(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଋଣରେ ବୁଡ଼ି ରହିଥିବା ଏସାର ଷ୍ଟିଲ୍ର ଋଣ ସମାଧାନ ଲାଗି ନିଷ୍ପତ୍ତି ନେବାକୁ ଏନ୍ସିଏଲ୍ଏଟି ଗୁରୁବାର ଏନ୍ସିଏଲ୍ଟି ଅହମ୍ମଦାବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖ ସୁଦ୍ଧା ଆର୍ସେଲର ମିତ୍ତଲଙ୍କ ପକ୍ଷରୁ ପ୍ରଦତ୍ତ ସମାଧାନ ପନ୍ଥା ନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶରେ କୁହାଯାଇଛି। ଜଷ୍ଟିସ ଏସ.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଏନ୍ସିଏଲ୍ଏଟି ଖଣ୍ଡପୀଠ କହିଛନ୍ତି ଯେ, ଏନ୍ସିଏଲ୍ଟି ଅହମ୍ମଦାବାଦ୍ ଧାର୍ୟ୍ୟ ସମୟ ଭିତରେ ନିଷ୍ପତ୍ତି ନେଇ ରାୟ ଶୁଣାଇ ନ ପାରିଲେ ଏହା କାଗଜପତ୍ର ମଗାଇ ନିଜ ଆଡୁ ରାୟ ଶୁଣାଇବେ। ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ଦିନ ଧାର୍ୟ୍ୟ କରିଛନ୍ତି। ସୂଚନାଥାଉ କି, ଏସାର ଷ୍ଟିଲ୍ ପାଇଁ ଆର୍ସେଲର ମିତ୍ତଲ ଗ୍ରୁପ୍ ପକ୍ଷରୁ ୪୨ହଜାର କୋଟି ଟଙ୍କାର ଋଣ ସମାଧାନ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଅନୁମୋଦନ କମିଟି ଗ୍ରହଣ କରିନେଇଛି।