ବିଶୋଦ୍ଧନ ହେଲା ଚୌଦ୍ୱାର କାରାଗାର

(ରିପୋଟର୍ସ ଟୁଡେ/ମହାଭାରତ/ଭୁବନେଶ୍ୱର): ସାରା ରାଜ୍ୟରେ କୋରୋନା ଭୁତାଣୁ ସଂକ୍ରମଣ ପାଇଁ ବିଶୋଦ୍ଧନ ଚାଲିଛି । କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟସରକାର ପର୍ଯ୍ୟନ୍ତ ଭୁତାଣୁ ରୋକିବା ଦିଗରେ ସଚେତନତା ହିଁ ଏହାର ଏକମାତ୍ର ଉପାୟ ବୋଲି ବାରମ୍ବାର ଚେତାବନି ଦିଆଯାଉଛି । ଏହାସହ ସାମାଜିକ ଦୂରତା ଓ ନିଜ ଅଞ୍ଚଳରେ ସାନିଟାଇଜେସନ ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରାକର ବିଭିନ୍ନ ଜିଲ୍ଲା ଓ ପୌରପାଳିକା ଆଦିଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଉ ଏଥିରୁ ବାଦ ପଡିନି କଟକ ଚୌଦ୍ୱାର କାରାଗାର । ଆଜି ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଟକ ଚୌଦ୍ୱାର କାରାଗାରରେ ଅଗ୍ନିଶମ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ବିଶୋଦ୍ଧନ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ କଟକ ଚୌଦ୍ୱାର କାରାଗାରରେ ୮୯୦ଜଣ କଏଦୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣଙ୍କୁ ଜେଲ ପରିସରରେ ଥିବା ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଟ ଶୁଭକାନ୍ତ ମିଶ୍ର । ଏନେଇ ଶ୍ରୀ ମିଶ୍ର ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ଓ ଅଗ୍ନିଶମ ବିଭାଗ କତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଆଜି ୨୦ଏକର ପରିମିତି କାରାଗାରକୁ ବିଶୋଦ୍ଧନ କରାଯାଇଥିଲା । କଟକ ଏଏଫଓ ଅବନୀକାନ୍ତ ସ୍ୱାଇଁ, ଚୌଦ୍ୱାର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟି ବିଭାଗୀୟ ଅଧିକାରୀ ଜୟମଙ୍ଗଲଦୀପ ସ୍ୱାଇଁ, କର୍ମଚାରୀ ଡି.କେ ସିଂ, ଚିତରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।